ମୁମ୍ବାଇ:ମହାରାଷ୍ଟ୍ର ରାଜନୀତିରେ ଗତ କିଛି ଦିନ ଧରି ଚାଲିଛି ମହାଡ୍ରାମା । ରାଜନୈତିକ ହଲଚଲ ମଧ୍ୟରେ ରବିବାର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଛନ୍ତି ବିଦ୍ରୋହୀ ନେତା ତଥା ପୁତୁରା ଅଜିତ ପାୱାର । ଅଜିତଙ୍କ ସହିତ ତାଙ୍କ ସମର୍ଥକମାନେ ଦକ୍ଷିଣ ମୁମ୍ବାଇ ସ୍ଥିତ ଯଶୱନ୍ତରାଓ ଚବନ ସେଣ୍ଟରରେ ଶରଦଙ୍କୁ ଭେଟିଛନ୍ତି । ତେବେ କିଛି ଦିନ ତଳେ ଦଳରୁ ବହିଷ୍କୃତ ହୋଇଥିବା ପୂର୍ବତନ ଏନସିପି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ପଟେଲ ମଧ୍ୟ ଶରଦଙ୍କୁ ଭେଟିଥିବା ଜଣାପଡ଼ିଛି । ବିଦ୍ରୋହ କରି ଅଜିତଙ୍କ ସହ NDAରେ ସାମିଲ ହୋଇଥିବାରୁ ପ୍ରଫୁଲ୍ଲଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।
ଗତ ଶୁକ୍ରବାର ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିବା ଅଜିତ ଗୋଷ୍ଠୀ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି । ଏନଡିଏ ସରକାରରେ ମନ୍ତ୍ରୀ ହେବା ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ତାଙ୍କ ସମର୍ଥକ 82 ବର୍ଷୀୟ ଶରଦ ପାୱାରଙ୍କୁ ଭେଟିଛନ୍ତି । ଏମାନଙ୍କ ମଧ୍ୟରେ ଛଗନ ଭୂଜବଳ, ହସନ ମୁଶ୍ରିଫ, ଦିଲ୍ଲୀପ ୱାଲସେ ପାଟିଲ, ଅଦିତି ତଟକରେ ଓ ଧନଞ୍ଜୟ ମୁଣ୍ଡେ ପ୍ରମୁଖ ସାମିଲ ରହିଛନ୍ତି ।
ଏହା ବି ପଢନ୍ତୁ- NCP crisis: ପାଓ୍ବାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେ NCPରୁ ବହିଷ୍କୃତ
ଏନେଇ ପୂର୍ବତନ ବରିଷ୍ଠ ଏନସିପି ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି, "ଏହା କୌଣସି ପୂର୍ବ ନିର୍ଦ୍ଧାରିତ ବୈଠକ ନଥିଲା । ଆମେ ଯେତେବେଳେ ଜାଣିଲୁ ପାୱାର ସାହାବ ଯଶୱନ୍ତରାଓ ଚବନ ସେଣ୍ଟରରେ ଉପସ୍ଥିତ ଅଛନ୍ତି ଏହାପରେ ନିକଟରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଏନସିପି ନେତାମାନେ ତାଙ୍କ ଆଶୀର୍ବାଦ ନେବା ଲାଗି ଏଠାକୁ ଆସିଛୁ । ଏନସିପିକୁ ଏକତ୍ରିତ ହୋଇ ରଖିବା ଲାଗି ଆମେ ଶରଦ ସାହାବଙ୍କୁ ଅନୁରୋଧ ମଧ୍ୟ କରିଛୁ ।" ପ୍ରଫୁଲ୍ଲ ପଟେଲ ଅଜିତଙ୍କ ଘନିଷ୍ଠ ବୋଲି ମଧ୍ୟ ଜଣାଯାଏ ।
ଏହା ବି ପଢନ୍ତୁ- Maha Cabinet Expansion: ନାରାଜ ସିନ୍ଦେ ଗୋଷ୍ଠୀ, ଅଜିତଙ୍କୁ ମିଳିଲା ଅର୍ଥ ବିଭାଗ
ନାଟକୀୟ ବିଦ୍ରୋହ ସୃଷ୍ଟି କରି ଏନସିପି ବରିଷ୍ଠ ନେତା ଅଜିତ ପାୱାରଙ୍କ ସମେତ ତାଙ୍କର କିଛି ସମର୍ଥକ ଗତ ଜୁଲାଇ 2 ତାରିଖରେ ଏନଡିଏ ସରକାରରେ ସାମିଲ ହୋଇଥିଲେ । ଏହାପରେ ଅଜିତ ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବ ଗତ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ ମନ୍ତ୍ରୀମଣ୍ଡଳ ସମ୍ପ୍ରାସରଣ କରିଥିବା ବେଳେ ଅଜିତଙ୍କୁ ମିଳିଥିଲା ଅର୍ଥ ବିଭାଗ । ହେଲେ ଏନେଇ ସିନ୍ଦେ ଗୋଷ୍ଠୀ ଅସନ୍ତୁଷ୍ଟ ଥିବା ମଧ୍ୟ ଜଣାପଡ଼ିଛି । ଅଜିତ ଗୋଷ୍ଠୀ ଅର୍ଥ ବିଭାଗ ନେବା ଲାଗି ଅଡ଼ି ବସିଥିବା ବେଳେ ବିଜେପିର ଶୀର୍ଷ ନେତୃତ୍ବ ଅମିତ ଶାହଙ୍କୁ ଭେଟିଥିଲେ ।
ସେପଟେ ଏନସିପିରେ ବିଦ୍ରୋହ ସୃଷ୍ଟି କରିବା ପରେ NCP ଏବେ ଦୁଇ ଫାଳ ହୋଇଛି । ଗୋଟିଏ ଗୋଷ୍ଠୀର ନେତୃତ୍ବ ଦଳର ପ୍ରତିଷ୍ଠାତା ଶରଦ ପାୱାର ନେଉଥିବା ବେଳେ ଅନ୍ୟ ଗୋଷ୍ଠୀର ନେତୃତ୍ବ ନେଉଛନ୍ତି ଅଜିତ ପାୱାର ।