ନୂଆଦିଲ୍ଲୀ:ନିଜର ବ୍ୟବସାୟିକ ସମ୍ପ୍ରସାରଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିସାରିଛି ରାଷ୍ଟ୍ରାୟତ ପରିଚାଳନାରୁ ଟାଟାସନ୍ସ ଅଧୀନକୁ ଯାଇଥିବା ଏୟାର ଇଣ୍ଡିଆ । ଏୟାର ଲାଇନ୍ସ ବିଶ୍ବର ପ୍ରମୁଖ ଏୟାରକ୍ରାଫ୍ଟ ନିର୍ମାତା ବୋଇଂ ଓ ଏୟାରବସଠାରୁ 470ଟି ନୂଆ ବିମାନ କିଣିବା ପାଇଁ ଅର୍ଡର ମଧ୍ୟ ଦେଇସାରିଛି । ନୂଆ ବିମାନ ସହ ସଂସ୍ଥା ତାର ମାନବ ସମ୍ବଳରେ ମଧ୍ୟ ଆବଶ୍ୟକତା ଅନୁସାରେ ବୃଦ୍ଧି କରିବାକୁ ଯାଉଛି । ତେଣୁ ଆସନ୍ତା କିଛି ମାସ ମଧ୍ୟରେ ଏୟାର ଇଣ୍ଡିଆ ପ୍ରାୟ 1 ହଜାର ନୂତନ ପାଇଲଟଙ୍କୁ ନିଯୁକ୍ତି ଦେବାକୁ ଯାଉଛି । ଏହି ନୂତନ ନିଯୁକ୍ତିରେ ଉଭୟ କ୍ୟାପଟେନ ଓ ଟ୍ରେନର୍ସ ବର୍ଗର ପାଇଲଟ ରହିବା ନେଇ ସୂଚନା ମିଳିଛି ।
ସଂସ୍ଥା ନିକଟରେ ଏବେ ପ୍ରାୟ 18 ଶହ ପାଇଲଟ ରହିଛନ୍ତି । ତେବେ ନୂତନ 470 ବିମାନ କ୍ରୟ ନିଷ୍ପତ୍ତି ପରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି । କିଣା ହେବାକୁ ଥିବା ବିମାନରେ ବୃହତ ବିମାନ ବା ଓ୍ବାଇଡ ବଡି ଏୟାରକ୍ରାଫ୍ଟ ମଧ୍ୟ ରହିଛି । ଏୟାରବସ କମ୍ପାନୀଠାରୁ 210ଟି A320/321 Neo/XLR ଓ 40 ଟି A350-900/1000 ସିରିଜର ବିମାନ କିଣାଯିବାକୁ ଥିବା ବେଳେ ବୋଇଂ କମ୍ପାନୀ ଠାରୁ 190 ଟି 737-Max ଓ 20 ଟି 787s ଓ 10ଟି 777s ଟି ବିମାନ କିଣା ହେବା ନେଇ ଚୁକ୍ତି ହୋଇଛି । ଖୁବଶୀଘ୍ର ଏହି ଦୁଇ ନିର୍ମାତା କମ୍ପାନୀ ଏୟାର ଇଣ୍ଡିଆକୁ ପର୍ଯ୍ୟାୟକ୍ରମେ ବିମାନ ଯୋଗାଇବା ଆରମ୍ଭ କରିବେ ।