ଓଡିଶା

odisha

ETV Bharat / bharat

Air India Express ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - ମସ୍କଟ ବିମାନ ବନ୍ଦରରେ ନିଆଁ

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଇଞ୍ଜିନରେ ନିଆଁ (Air India Express Plane Catches Fire) । ସୁରକ୍ଷିତ ସ୍ଥାନାନ୍ତର ହେଲେ ସମସ୍ତ ଯାତ୍ରୀ । 145 ଯାତ୍ରୀଙ୍କୁ ଧରି ମସ୍କଟରୁ କୋଚି ଅଭିମୁଖେ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହୋଇଥିଲା ବିମାନ । ସମସ୍ତେ ସୁରକ୍ଷିତ, ତଦନ୍ତ ଆରମ୍ଭ କଲା ଡିଜିସିଏ । ଅଧିକ ପଢନ୍ତୁ

Air India Express ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
Air India Express ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

By

Published : Sep 14, 2022, 4:46 PM IST

ନୂଆଦିଲ୍ଲୀ: ଓମାନ ରାଜଧାନୀ ମସ୍କଟରୁ କେରଳର କୋଚି ଅଭିମୁଖେ ଉଡାଣ ଭରିବାକୁ ଥିବା ଏୟାର ଇଣ୍ଡିଆ-ଏକ୍ସପ୍ରେସ ବିମାନର ଇଞ୍ଜିନରେ ନିଆଁ ଦେଖିବାକୁ ମିଳିଛି (Air India Express Plane Catches Fire) । ଟେକ-ଅଫର କିଛି ସମୟ ପୂର୍ବରୁ ଏହି ଅଘଟଣ ସାମ୍ନାକୁ ଆସିବା ପରେ ଉଡାଣ ବାତିଲ କରାଯିବା ସହ ସମସ୍ତ ଯାତ୍ରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ବିମାନରୁ ବାହାରକୁ ଅଣାଯାଇଛି । ସମସ୍ତେ ସୁରକ୍ଷିତ ଅଛନ୍ତି ଓ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ।

ସୂଚନା ଅନୁସାରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଏହି ବିମାନଟି 145 ଯାତ୍ରୀଙ୍କୁ ଧରି କୋଚି ଅଭମୁଖେ ଉଡାଣ ପାଇଁ ପ୍ରସ୍ତୁତ ହେଉଥିଲା (fire in Air India Express Plane)। ତେବେ ଟେକ-ଅଫ ପାଇଁ ରନଓ୍ବେକୁ ଯାଇ ସାରିଥିବା ଏହି ବିମାନର ଗୋଟିଏ ଇଞ୍ଜିନରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ତେବେ ବିମାନଟିକୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ସମସ୍ତ ଯାତ୍ରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ବାହାର କରାଯିବାରେ ସଫଳତା ମିଳିଛି । ସମସ୍ତ ଯାତ୍ରୀଙ୍କୁ ଟର୍ମିନାଲ ବିଲ୍ଡିଂରେ ରଖାଯାଇଛି । ଯାତ୍ରୀ ଓ ଅନ୍ୟ ସମସ୍ତ ବିମାନ କ୍ର୍ୟୁ ସଦସ୍ୟ ନିରାପଦ ରହିଛନ୍ତି । ଅନ୍ୟ ଏକ ବିମାନ ଜରିଆରେ ସେମାନଙ୍କୁ କୋଚି ଅଣାଯିବା ପାଇଁ ପ୍ରୟାସ କରାଯାଉଥିବା DGCA ପକ୍ଷରୁ ସୂଚନା ମିଳିଛି ।

ତେବେ କେଉଁ କାରଣରୁ ବିମାନର ଇଞ୍ଜିନରେ ନିଆଁ ଦେଖିବାକୁ ମିଳିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଘଟଣାର ତଦନ୍ତ ନିର୍ଦ୍ଦେଶ ମିଳିସାରିଥିବା ମଧ୍ୟ ଉଡାଣ ନିର୍ଦ୍ଦେଶାଳୟ ସୂଚନା ଦେଇଛି । ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବା ନେଇ ଡିଜିସିଏ କହିଛି । ବର୍ତ୍ତମାନ ଏକ ଉଚ୍ଚସ୍ତରୀୟ ବୈଷୟିକ ଟିମ ଏହି ବିମାନର ତଦାରଖ ଆରମ୍ଭ କରିଛନ୍ତି । ଆଜି ଉଡାଣ ଭରିବା ପୂର୍ବରୁ ଏପରି ଅଘଟଣ ସାମ୍ନାକୁ ଆସିବା ଓ ସଫଳତାର ସହ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯିବା ପରେ ଏକ ଆସନ୍ନ ଅଘଟଣକୁ ଏଡାଯାଇ ପାରିଛି ।

କିଛି ଦିନ ପୂର୍ବରୁ ରାଷ୍ଟ୍ରାୟତ ମାଲିକାନାରେ ଥିବା ଏହି ବିମାନ କମ୍ପାନୀ ନିଲାମ ହେବା ପରେ ଟାଟା ଦ୍ବାରା ପରିଚାଳିତ ହେଉଛି । ନିକଟରେ ମଧ୍ୟ ଅନେକ ଭାରତୀୟ ବିମାନ କମ୍ପାନୀର ବିମାନରେ ଏପରି ତ୍ରୁଟି ସାମ୍ନାକୁ ଆସିଛି । ସ୍ପାଇସଜେଟ, ଇଣ୍ଡିଗୋ ଏୟାରଲାଇନ୍ସର ଏକାଧିକ ବିମାନରେ ଯାନ୍ତ୍ରିକ ତ୍ରୁଟି ସାମ୍ନାକୁ ଆସିବା ପରେ ବିମାନ ଯାତ୍ରୀଙ୍କ ମଧ୍ୟରେ ଭୟ ମଧ୍ୟ ଦେଖିବାକୁ ମିଳିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details