ରାୟପୁର:ପୁଣି ଗାଁର ବିକଳ ଚିତ୍ର । ରାସ୍ତାଘାଟର ସମସ୍ୟା ଯୋଗୁଁ ଅଧିକାଂଶ ଗ୍ରାମରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ଫଳରେ କେତେବେଳେ ଦୋଳାରେ ତ କେତେବେଳେ ଖଟିଆରେ ରୋଗୀଙ୍କୁ ଆଣିବାକୁ ପଡ଼ୁଛି । ତେବେ ପୁଣି ଏଭଳି ଘଟଣା ସାମ୍ନାକୁ ଆସିଛି ଛତିଶଗଡରୁ । ଗାଁକୁ ରାସ୍ତା ନ ଥିବାରୁ 25 କିଲୋମିଟର ଖଟିଆରେ ବୁହାହେଲେ ଅସୁସ୍ଥ ନାବାଳିକା । ଗାଁର ବିକାଶ ପାଇଁ ସରକାର ମାଳମାଳ ଯୋଜନ କରିଛନ୍ତି । ଗାଁକୁ ଗଢ ଗାଁକୁ ଚାଲ ନାରା ଦେଉଛନ୍ତି , ହେଲେ ଏବେ ବି ଏମିତି ଅନେକ ଗାଁ ରହିଛି ଯେଉଁଠି ସରକାରଙ୍କ ବିକାଶ ରଥ ଗଡ଼ି ପାରିନାହିଁ । ଗାଁକୁ ଖଣ୍ଡିଏ ରାସ୍ତା ନାହିଁ ।
ସୂଚନା ମୁତାବକ, ଛତିଶଗଡ ବସ୍ତର ଜିଲ୍ଲାର ନାବାଳିକା ପୁନି ସାନ୍ତୁ ପୁଙ୍ଗତି କିଛି ଦିନ ହେବ ଅସୁସ୍ଥ ଥିଲେ । ଏନେଇ ହଠାତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କ ପରିବାର ଲୋକେ ଖଟିଆରେ ୨୫ କିଲୋମିଟର ବୋହି ମହାରାଷ୍ଟ୍ରର ଗଡଚିରୋଲି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଚିକିତ୍ସା ପରେ ନାବାଳିକାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।
ଅନ୍ୟପଟେ ଜଣେ ଅଧିକାରୀ କହିଛନ୍ତି ଯେ, ମୌସୁମୀ ଯୋଗୁଁ ଚାରିଆଡେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ଛତିଶଗଡ଼ର ୪ରୁ ୫ ସୀମାବର୍ତ୍ତୀ ଗାଁର ରୋଗୀ ଲହେରୀ ପିଏଚ୍ସିରେ ଚିକିତ୍ସା ପାଇଁ ଚାହୁଁଛନ୍ତି । କାରଣ ଏହା ପଡ଼ୋଶୀ ରାଜ୍ୟର ନାରାୟଣପୁରରେ ଥିବା ପିଏଚ୍ସି ଅପେକ୍ଷା ଅଧିକ ନିକଟତର । ସେହିପରି ଅନ୍ୟ ଜଣେ ବରିଷ୍ଠ ଚିକିତ୍ସା ଅଧିକାରୀ କହିଛନ୍ତି ଯେ, ଯଦିଓ ଜିଲ୍ଲା ପ୍ରଶାସନ ପାଖରେ ଆମ୍ବୁଲାନ୍ସ ଅଛି ଏବଂ ସ୍ଥାନୀୟ ଲୋକଙ୍କୁ ଆମ୍ବୁଲାନ୍ସ ଫୋନ୍ ନମ୍ବର ଦିଆଯାଇଛି । ହେଲେ ଏହି ଗାଁଗୁଡିକ ପାହାଡ଼ିଆ ଅଞ୍ଚଳର ଅବସ୍ଥିତ ଥିବାରୁ ସେଠାକୁ କୌଣସି ପକ୍କା ରାସ୍ତା ନାହିଁ କି ନେଟୱାର୍କ ସୁବିଧା ମଧ୍ୟ ନାହିଁ ।