ଗାନ୍ଧୀନଗର:ଶିଶୁ ଚାଲାଣ କରୁଥିବା ଏକ ଦମ୍ପତିକୁ ଗିରଫ କରିଛି ଗୁଜୁରାଟ କ୍ରାଇମବ୍ରାଞ୍ଚ । ଗିରଫ ଦମ୍ପତିଙ୍କ ଠାରୁ ଏକ 15 ଦିନର ଶିଶୁକୁ ମଧ୍ୟ ଜବତ କରାଯାଇଛି । ଅହମ୍ମଦାବାଦ ରଣାସାନ ରେଳ କ୍ରସିଂ ନିକଟରୁ ବିପିନ ଓରଫ ବଣ୍ଟି ଶିରସାଦ ଏବଂ ମୋନିକା ବିପିନ ଶିରସାଦ ନାମକ ଏକ ଦମ୍ପତିଙ୍କୁ କ୍ରାଇମବ୍ରାଞ୍ଚ ଟିମ ଗିରଫ କରିଥିଲା (Ahmedabad Crime Branch Arrested a couple)। ସେମାନଙ୍କ ନିକଟରୁ 10 ରୁ 15 ଦିନର ନବଜାତ ଶିଶୁ ଉଦ୍ଧାର କରାଯାଇଥିଲା । ତେବେ ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ଏହି ନବଜାତକକୁ ହିମାତନଗରରୁ ରେଶମଭାଇ ରାଠୋର ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ 2,10,000 ଟଙ୍କାରେ କିଣାଯାଇଥିଲା ।
ତେବେ ଅଭିଯୁକ୍ତ ଦମ୍ପତି ଏହି ନବଜାତ ଶିଶୁକୁ ରାକେଟର ମୁଖ୍ୟ ଦଲାଲ ଉମା ନାମକ ଜଣେ ମହିଳାକୁ ବିକ୍ରି କରିବାକୁ ଯାଉଥିଲେ । ଉମାର ଘର ହାଇଦ୍ରାବାଦ ବୋଲି ସମ୍ପୃକ୍ତ ଦମ୍ପତି ପୋଲିସ ନିକଟରେ ପ୍ରକାଶ କରିଛନ୍ତି । ପରେ ଉମା ଜରିଆରେ ଏହି ଶିଶୁ ପ୍ରାୟ 5 ଲକ୍ଷ ଟଙ୍କାରେ ଅନ୍ୟତ୍ର ବିକ୍ରି ହେବାର ଯୋଜନା ରଖାଯାଇଥିଲା । ତେବେ ଏହି ଚେର ହାଇଦ୍ରାବାଦ ପର୍ଯ୍ୟନ୍ତ ଲମ୍ବିଛି ଜଣାପଡିବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ ହାଇଦ୍ରାବାଦରେ ମଧ୍ୟ ପହଞ୍ଚିଛି ।