ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଦିନ ନିଜର ବାସଭବନରେ ଜଣେ ପରିବା ବିକାଳିଙ୍କୁ ଭେଟିଛନ୍ତି ଓ ତାଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଛନ୍ତି । ସେହି ପରିବା ବିକାଳିଙ୍କ ନାମ ରାମେଶ୍ବର । ମାସେ ତଳେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଦରଦାମ୍ ବୃଦ୍ଧି ଯୋଗୁଁ ସହୁଥିବା ଯନ୍ତ୍ରଣା ବଖାଣିଥିଲେ ଓ ରାହୁଲଙ୍କୁ ଭେଟିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଏହାପରେ ରାହୁଲ ଗାନ୍ଧୀ ଗତକାଲି ରାମେଶ୍ବରଙ୍କୁ ନିଜ ବାସଭବନକୁ ଡକାଇ ତାଙ୍କ ସହ ଏକାଠି ଭୋଜନ କରିଛନ୍ତି । ସେ ଏହି ସମୟର ଏକ ଫଟୋ 'X'ରେ ସେୟାର କରିଛନ୍ତି ।
ପରିବା ବିକାଳିଙ୍କ ସହ ମଧ୍ୟାହ୍ନ ଭୋଜନ ସମୟର ଫଟୋ ସେୟାର କରି କଂଗ୍ରେସ ନେତା ରାହୁଲ କହିଛନ୍ତି, "ରାମେଶ୍ବର ଜଣେ ଖୋଲା ହୃଦୟର ବ୍ୟକ୍ତି । ତାଙ୍କ ଠାରେ କୋଟିକୋଟି ଭାରତୀୟଙ୍କ ଶାନ୍ତ ସ୍ବଭାବର ଝଲକ ଦେଖିବାକୁ ମିଳୁଛି । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ହସିହସି ଆଗକୁ ବଢୁଥିବା ଲୋକମାନେ ହିଁ ପ୍ରକୃତକରେ ଭାରତର ଭାଗ୍ୟ ବିଧାତା ଅଟନ୍ତି ।"
ପ୍ରକାଶ ଥାଉକି, ଗତ ଜୁଲାଇରେ ରାମେଶ୍ବରଙ୍କ ଏକ ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ସେ ଦରଦାମ୍ ବୃଦ୍ଧିକୁ ନେଇ ଅସହାୟତା ପ୍ରକାଶ କରିଥିଲେ । ଟମାଟୋ ଦର ଅହେତୁକ ବୃଦ୍ଧି ଯୋଗୁଁ ସେ ଏହାକୁ କିଣି ବ୍ୟବସାୟ କରିପାରୁ ନାହାନ୍ତି । ଅନ୍ୟ ପରିବା କିଣିବାକୁ ବି ତାଙ୍କ ପାଖରେ ପଇସା ନାହିଁ ବୋଲି ରାମେଶ୍ବର କହିଥିଲେ । ଏ କଥା କହିବା ସମୟରେ ସେ କାନ୍ଦି ପକାଇଥିଲେ । ଏହାପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଚାହୁଁଛନ୍ତି ବୋଲି ପ୍ରକାଶ କରିଥିଲେ । ଏହି ଭିଡିଓ ଭାଇରାଲ ପରେ ରାହୁଲ ନିଜ ବାସଭବନରେ ପରିବା ବିକାଳି ରାମେଶ୍ବରଙ୍କୁ ଭେଟିଛନ୍ତି ।