ଗାନ୍ଧୀନଗର: ବନ୍ୟାରେ ବେହାଲ ଗୁଜୁରାଟ । ରାଜ୍ୟର ଅନେକ ଜିଲ୍ଲା ଏବେ ଜଳବନ୍ଦୀ ହୋଇ ରହିଥିବା ବେଳେ ରାସ୍ତାର ଅବସ୍ଥା ନ କହିବା ଭଲ । ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ଗୁଜୁରାଟରେ ବ୍ୟାପକ କ୍ଷତି ହୋଇଛି । ଗୁଜୁରାଟରେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଗୁଜୁରାଟର ୪୮ ନମ୍ବର ଜାତୀୟ ରାଜପଥ ଖାଲଖମାରେ ଭରପୂର ହୋଇ ରହିଥିବା ବେଳେ ରାସ୍ତାରେ ପାଣିଜମି ମରଣଯନ୍ତା ପାଲଟିଛି । ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ।
ସେନା, NDRF ଓ SDRF ସମେତ କୋଷ୍ଟଗାର୍ଡ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଉତ୍ତର ଗୁଜୁରାଟରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ବର୍ଷା ପ୍ରଭାବରେ ଭାପି-ସିଲଭାସା 48 ନମ୍ବର ଜାତୀୟ ରାଜପଥ ଧୋଇ ହୋଇଯାଇଛି । ଅନେକ ଜାଗାରେ ଖାଲଖମା ସୃଷ୍ଟି ହୋଇ ପାଣି ଜମି ରହିଛି । ଏହି ବନ୍ୟାରେ ଗୁଜୁରାଟର ପ୍ରାୟ ୧୩୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ନଭସାରୀ ଜିଲ୍ଲାର ୮୧୧ ଲୋକଙ୍କୁ ଗତକାଲି(ଶନିବାର) ଦିନ ସୁରକ୍ଷାକର୍ମୀଙ୍କ ଦ୍ବାରା ଉଦ୍ଧାର କରାଯାଇଥିଲା । ବନ୍ୟାଗ୍ରସ୍ତ ବଲସାଦ ଜିଲ୍ଲାରେ ଲୋ-ଭିଜିବିଲିଟି ଓ ପ୍ରତିକୂଳ ପାଗ ସତ୍ତ୍ବେ ମଧ୍ୟ ଅମ୍ବିକା ନଦୀ କୂଳରେ ଫସିଥିବା 16 ଜଣଙ୍କୁ ଏୟାରଲିଫ୍ଟ କରିଥିଲା କୋଷ୍ଟଗାର୍ଡ ହେଲିକପ୍ଟର ।