ହାଇଦ୍ରାବାଦ:ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ତେଲେଙ୍ଗାନରେ ଏବେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଜାରି ରହିଛି । ସ୍ବଚ୍ଛ ତଥା ଅବାଧ ନିର୍ବାଚନ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରଦତ୍ତ ନିର୍ଦ୍ଦେଶାବଳିକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ପୋଲିସ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ତେବେ ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ବିଭିନ୍ନ ସ୍ଥାନରେ ଚଢାଉ ଓ ଚେକିଂରେ ମୋଟ 3 ଶହ କୋଟିରୁ ଅଧିକ ଟଙ୍କା ଓ ଅନ୍ୟ ସାମଗ୍ରୀ ଜବତ କରାଯାଇ ସାରିଲାଣି । ଏହା ମଧ୍ୟରେ 2 ଶହ କେଜି ସୁନା ମଧ୍ୟ ରହିଥିବା ସୂଚନା ମିଳିଛି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିକାଶ ରାଜଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଚଳିତମାସ 9 ତାରିଖରୁ ଲାଗୁ ହୋଇଥିବା ନିର୍ବାଚନ ଆଦର୍ଶ ଆଚରଣ ବିଧି ଅବଧି ମଧ୍ୟରେ ବିଭିନ୍ନ ଅପରେସନରେ ନଗଦ ଟଙ୍କା, ସୁନା, ମାଦକଦ୍ରବ୍ୟ ଓ ବିଭିନ୍ନ ଦାମି ଉପହାର ମଧ୍ୟ ଜବତ କରାଯାଇଛି । ନଗଦ ଟଙ୍କା ସହ ଏହି ସମସ୍ତ ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ 3 ଶହ କୋଟିରୁ ଅଧିକ ହେବ। ଏବେ ପର୍ଯ୍ୟନ୍ତ ଜବତ ସାମଗ୍ରୀର ନିର୍ଦ୍ଦିଷ୍ଟ ମୂଲ୍ୟ 307 କୋଟି 2 ଲକ୍ଷ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ଏବେ ମଧ୍ୟ ବିଭିନ୍ନ ସ୍ଥାନରେ ପୋଲିସର ଚେକିଂ ଓ ସନ୍ଦେହଜନକ ଗତିବିଧି ଅଭିଯୋଗ ହେଲେ ଚଢାଉ ଜାରି ରହିଛି । ଭୋଟିଂ ଓ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ 9.69 କୋଟି ନଗଦ ଟଙ୍କା ଓ ଗତକାଲି ସକାଳୁ ଆଜି ମଧ୍ୟରେ 35 କୋଟି ମୂଲ୍ୟର ମଦ ମଧ୍ୟ ଜବତ ହୋଇଛି । ସେହିପର 72 ଲକ୍ଷ ମୂଲ୍ୟର 232 କେଜିର ଗଞ୍ଜେଇ ମଧ୍ୟ ଜବତ କରାଯାଇଛି । ଏହି ପରିମାଣ ସହ ଜବତ ମୋଟ ଗଞ୍ଜେଇର ପରିମାଣ 3,672 କେଜିରେ ପହଞ୍ଚିଛି । କେବଳ ଜବତ ଗଞ୍ଜେଇର ମୂଲ୍ୟ 15.23 କୋଟି ହେବା ନେଇ ଆକଳନ କରାଯାଇଛି ।