ହାଇଦ୍ରାବାଦ: କେନ୍ଦ୍ରରେ ପୁନର୍ଗଠିତ ହୋଇସାରିଛି ମୋଦି କ୍ୟାବିନେଟ । ନୂଆ ଟିମ ଗଢି ନ୍ୟୁ ଇଣ୍ଡିଆର ସ୍ବପ୍ନ ପୁରା କରିବା ଲକ୍ଷ୍ୟରେ ଆଗକୁ ବଢୁଛନ୍ତି ସରକାର । ଆଧୁନିକ ଭାରତର ଆଇନରେ ସଂସ୍କାର ଆଣି ଏହି ସ୍ବପ୍ନ ସାକାର କରିବାକୁ ପ୍ରୟାସ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
2014ରେ ଦେଶର ସର୍ବ ପୁରାତନ ଦଳ କଂଗ୍ରେସଠାରୁ ମୁହଁ ଫେରାଇ ଭାରତୀୟ ଜନତା ପାର୍ଟି ନେତୃତ୍ବାଧିନ ଏନଡିଏ ସରକାରଙ୍କୁ କ୍ଷମତାର ଗାଦିରେ ବସାଇଥିଲେ ଜନସାଧାରଣ । ବିକାଶ ସହିତ ବିଜେପିର ବିଚାରଧାରା ଉପରେ ମୋହର ମାରିଥିଲେ ମତଦାତା । ଆଗକୁ ଦେଶରେ 2024ର ମହାସମର । ଏହା ପୂର୍ବରୁ ଉତ୍ତରପ୍ରଦେଶର ମୈଦାନରେ ସେମିଫାଇନାଲ ମ୍ୟାଚ ଖେଳିବ ମୋଦି ବିଜେପି । କାରଣ 2024 ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବିଜେପି ପାଇଁ ଅଗ୍ନି ପରୀକ୍ଷାଠାରୁ କମ ହେବନି । ଆଉ ଏଥିପାଇଁ ନିଜର ମୂଳ ଏଜେଣ୍ଡାକୁ ଫେରିଆସିଛନ୍ତି ମୋଦି ସରକାର ।
ଦେଶରେ କୋଭିଡ ସଙ୍କଟ, ତୈଳ ତାତି, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମରେ ଅହେତୁକ ବୃଦ୍ଧି, ଆଗକୁ 5 ରାଜ୍ୟରେ ବିଧାନସଭା ନିର୍ବାଚନ, ଏହାପୂର୍ବ ପଶ୍ଚିମବଙ୍ଗ ସମେତ ଆଉ କିଛି ରାଜ୍ୟରେ ବିଜେପିକୁ ଲାଗିଥିବା ଝଟକା ପରେ କେନ୍ଦ୍ର କ୍ୟାବିନେଟରେ ମେଗା ବିସ୍ତାର । ଏହାରି ମଧ୍ୟରେ ପୁଣି ଚର୍ଚ୍ଚାର ପରିସରକୁ ଆସିଛି ମୋଦି ସରକାରଙ୍କ ଏଜେଣ୍ଡାରେ ସାମିଲ ସମାନ ନାଗରିକ ସଂହିତା ତଥା ୟୁନିଫର୍ମ ସିଭିଲ କୋଡ(Uniform Civil Code) ।
ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ, କାଶ୍ମୀରରୁ ଧାରା 370 ଉଚ୍ଛେଦ କରି ନିଜ ଲକ୍ଷ୍ୟ ପଥର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି ମୋଦି ସରକାର । ଆଉ ଏବେ ସମାନ ନାଗରିକ ସଂହିତା(ୟୁସିସି) ହୋଇପାରେ ସରକାରଙ୍କ ପରବର୍ତ୍ତୀ ଟାର୍ଗେଟ ।
ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନର ଶୁଣାଣି ସମୟରେ ଉଠିଥିଲା ସମାନ ନାଗରିକ ସଂହିତାର ବିଷୟ । ଆଧୁନିକ ଭାରତରେ ୟୁସିସି ଲାଗୁ କରିବାର ସମୟ ଆସିଥିବା କହିଥିଲେ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟଙ୍କ ଏହି ବୟାନ କେନ୍ଦ୍ର ସରକାରଙ୍କ ପାଇଁ ୟୁସିସି ଲାଗୁ କରିବାର ବାଟ ଫିଟିଛି ବୋଲି କୁହାଯାଇପାରେ । ତେବେ କଣ ଏହି ସମାନ ନାଗରିକ ସଂହିତା ? କାହିଁକି ମୋଦି ସରକାରଙ୍କ ଏଜେଣ୍ଡାର ଏହା ଗୁରୁତ୍ବପୂର୍ଣ୍ଣ ଅଙ୍ଗ ? କଣ ପାଇଁ ଦେଶରେ ଏହି ଆଇନ ଲାଗୁ କରିବାର ରହିଛି ଅବଶ୍ୟକତା ?
ସମାନ ନାଗରିକ ସଂହିତା କଣ ?
ସମାନ ନାଗରିକ ସଂହିତା ତଥା ୟୁନିଫର୍ମ ସିଭିଲ କୋଡର ଅର୍ଥ ହେଉଛି ସମସ୍ତଙ୍କ ପାଇଁ ସମାନ ଆଇନ । ଏହା ଏକ ଧର୍ମନିରପେକ୍ଷ ଆଇନ, ଯାହା ସବୁ ଧର୍ମର ନାଗରିକଙ୍କ ପାଇଁ ସମାନ ଭାବରେ ଲାଗୁ ହୁଏ । ୟୁନିଫର୍ମ ସିଭିଲ କୋଡ ଯେକୌଣସି ଧର୍ମ ପାଇଁ ଗୋଟିଏ ଆଇନର କଥା କୁହେ । ମୁଖ୍ୟ ଭାବରେ ଏହା ବିବାହ, ପୈତୃକ ସମ୍ପତ୍ତି, ଛାଡପତ୍ର ଓ ଅନ୍ୟ ଧାର୍ମିକ ପରମ୍ପରା ସହ ଜଡିତ ।
ସମ୍ବିଧାନର ଧାରା 44 ଅନ୍ତର୍ଗତ ନାଗରିକ ସଂହିତାକୁ ଲାଗୁ କରିବା ରାଜ୍ୟର ଦାୟିତ୍ବ ବୋଲି ଦର୍ଶାଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ଦେଶରେ ଲାଗୁ ହୋଇପାରିନାହିଁ ଏହି ଆଇନ ।
ଧାରା 44 କଣ ?
ସମ୍ବିଧାନର ଭାଗ 4ରେ ରାଜ୍ୟର ନୀତି ନିର୍ଦ୍ଦେଶକ ସିଦ୍ଧାନ୍ତର କରାଯାଇଛି ବର୍ଣ୍ଣନା । ଧାରା 36ରୁ 51 ଜରିଆରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ରାଜ୍ୟକୁ ଦିଆଯାଇଛି ପରାମର୍ଶ । ରାଜ୍ୟ ସରକାର ନିଜର ନୀତି ନିର୍ଦ୍ଧାରଣ କରି ସମ୍ବିଧାନର ଏହି ନୀତି ନିର୍ଦ୍ଦେଶକ ଗୁଡିକୁ ଧ୍ୟାନରେ ରଖିବେ ବୋଲି ଆଶାବ୍ୟକ୍ତ କରାଯାଇଛି । ଏଥିମଧ୍ୟରୁ ଧାରା 44 ରାଜ୍ୟକୁ ସଠିକ ସମୟରେ ସମସ୍ତ ଧର୍ମ ପାଇଁ ସମାନ ନାଗରିକ ସଂହିତା ଗଠନ କରିବାର ନିର୍ଦ୍ଦେଶ ଦେଇଛି । ମୋଟ ଉପରେ କହିବାକୁ ଗଲେ ଭେଦଭାବ ଦୂର କରି ବିଭିନ୍ନ ସାଂସ୍କୃତିକ ସମୂହ ମଧ୍ୟରେ ତାଳମେଳ ରଖିବା ଧାରା 44ର ଉଦ୍ଦେଶ୍ୟ ।
ନାଗରିକ ସଂହିତା ଉପେକ୍ଷିତ ବୋଲି ସମ୍ବିଧାନ ନିର୍ମାଣ ସମୟରେ କହିଥିଲେ ଡ. ଭୀମରାଓ ଆମ୍ବେଦକର । ହେଲେ ଏହାକୁ ବିଭିନ୍ନ ଧର୍ମାବଲମ୍ବୀଙ୍କ ଇଚ୍ଛା ଉପରେ ଛାଡି ଦିଆଯିବା ଦରକାର ବୋଲି କହିଥିଲେ ବାବା ସାହେବ । ଯେବେ ଦେଶ ଏକମତ ହୋଇଯିବ ସେବେ ସମାନ ନାଗରିକ ସଂହିତା ଅସ୍ତିତ୍ବକୁ ଆସିବ ବୋଲି ରହିଥିଲା ଆଶା ।
ବ୍ୟକ୍ତିଗତ ତଥା ପର୍ସନାଲ ଆଇନ କଣ ?
ହିନ୍ଦୁ ପର୍ସନାଲ ଲ'
1951ରେ ଦେଶର ତତ୍କାଳୀନ ଆଇନମନ୍ତ୍ରୀ ଭୀମରାଓ ଆମ୍ବେଦକର ଆଗତ କରିଥିଲେ ହିନ୍ଦୁ କୋଡ ବିଲ । ମାତ୍ର ଏହାକୁ ନେଇ ଦେଶରେ ହୋଇଥିଲା ଜୋରଦାର ବିରୋଧ । ବିରୋଧ ଯୋଗୁଁ ବିଧେୟକକୁ 4 ଭାଗରେ ବିଭକ୍ତ କରିଦିଆଯାଇଥିଲା । ହିନ୍ଦୁ କୋଡ ବିଲ୍କୁ ହିନ୍ଦୁ ମ୍ୟାରେଜ ଆଇନ, ହିନ୍ଦୁ ସେକ୍ସସନ ଆଇନ, ହିନ୍ଦୁ ଆଡପସନ ଆଣ୍ଡ ମେଣ୍ଟନାନ୍ସ ଆଇନ ଓ ହିନ୍ଦୁ ମାଇନୋରିଟି ଆଣ୍ଡ୍ ଗାର୍ଡିଏନସିପ ଆଇନରେ ବାଣ୍ଟି ଦେଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ।
ଏହି ଆଇନ ସିଧାସଳଖ ମହିଳାଙ୍କୁ କରିଥିଲା ସଶକ୍ତ । ଏହା ଯୋଗୁଁ ମହିଳାଙ୍କୁ ମିଳେ ସ୍ବାମୀ ଓ ପୈତୃକ ସମ୍ପତ୍ତିର ଅଧିକାର । ଏହାସହିତ ଭିନ୍ନଭିନ୍ନ ଜାତିର ଲୋକଙ୍କୁ ପରସ୍ପର ସହ ବିବାହ କରିବାର ମଧ୍ୟ ଏହି ଆଇନ ଅଧିକାର ଦିଏ । ହେଲେ କୌଣସି ବ୍ୟକ୍ତ ଯଦି ଗୋଟିଏ ବିବାହ କରିଥାଏ, ତେବେ ଛାଡପତ୍ର ବିନା ଅନ୍ୟ ଏକ ବିବାହ କରିପାରିବନି ବୋଲି ଏହି ଆଇନରେ ପ୍ରାବଧାନ ରହିଛି ।
ମୁସଲିମ ପର୍ସନାଲ ଲ'
ଦେଶର ମୁସଲମାନ ସମ୍ପ୍ରଦାୟ ପାଇଁ ରହିଛି ମୁସଲିମ ପର୍ସନାଲ ଲ' ବୋର୍ଡ । ଏହି ଲ' ଅନ୍ତର୍ଗତ ତିନ୍ ତଲାକ ପ୍ରଥାର ରହିଥିଲା ମାନ୍ୟତା । ତିନ୍ ତଲାକ ପ୍ରଥା ଆଧାରରେ ସ୍ବାମୀ ନିଜ ସ୍ତ୍ରୀକୁ କେବଳ 3 ଥର ତଲାକ କହି ଛାଡପତ୍ର ଦେଇପାରୁଥିଲା । ହେଲେ ମୋଦି ସରକାରଙ୍କ ଗତ କାର୍ଯ୍ୟକାଳରେ ସ୍ବତନ୍ତ୍ର ଆଇନ ଲାଗୁ କରାଯାଇ ଏହି ପ୍ରଥାକୁ ଅବୈଧ ଘୋଷଣା କରିଦିଆଯାଇଥିଥିଲା ।