ଲକ୍ଷ୍ନୌ: 83 ବର୍ଷୀୟ ବୃଦ୍ଧ ଅଭିଯୁକ୍ତଙ୍କ ବିରୋଧରେ ଆସିଲା ଗିରଫ ପରଓ୍ବାନା । ସେପୁଣି ଦୀର୍ଘ ପ୍ରାୟ 3 ଦଶନ୍ଧି ପରେ ମଇଁଷି ମୃତ୍ୟୁ ମାମଲାରେ । 28 ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ମଇଁଷିର ମୃତ୍ୟୁ ହୋଇଥିଲା । ଏଥିରେ ସରକାରୀ ପରିବହନ ନିଗମରେ ଜଣେ ଡ୍ରାଇଭର ଅଭିଯୁକ୍ତ ଭାବେ ଗିରଫ ହୋଇଥିଲେ । ହେଲେ ସେ ଏହି ମାମଲାରେ ବେଲ ମଧ୍ୟ ପାଇଥିଲେ । ହେଲେ ପରେ ଆଉ କୋର୍ଟରେ ହାଜର ହୋଇନଥିଲେ । ଏବେ ଦୀର୍ଘ 28 ବର୍ଷ ପରେ ତାଙ୍କ ନାମରେ ପୁଣି ଆରେଷ୍ଟ ଓ୍ବେରେଣ୍ଟ ଜାରି କରାଯାଇଛି । ଏହି ବୃଦ୍ଧ ଅଭିଯୁକ୍ତଙ୍କ ହେଉଛନ୍ତି ଉତ୍ତର ପ୍ରଦେଶ ବାରବାଙ୍କୀର 83 ବର୍ଷୀୟ ଅଚ୍ଚନ ।
କଣ ଥିଲା ମାମଲା:-
1995 ମସିହାରେ ଘଟିଥିଲା ଏହି ଦୁର୍ଘଟଣା । ଏକ ସରକାରୀ ବସ ଓ ମଇଁଷି ଟାଣୁଥିବା ଶଗଡ ଗାଡି ମଧ୍ୟରେ ଧକ୍କା ହୋଇଥିଲା । ସେତେବେଳେ ବାରବାଙ୍କୀର ମୁନାୱାରଙ୍କ ପୁଅ ଅଚ୍ଚନ ଉତ୍ତର ପ୍ରଦେଶ ପରିବହନ ନିଗମର ବାରବାଙ୍କି ଡିପୋରେ ଜଣେ ବସ ଡ୍ରାଇଭର ଭାବରେ କାର୍ଯ୍ୟ କରିଥିଲେ । ସେ ବାରବାଙ୍କୀରୁ ବସ ଚଳାଇ ବରେଲି ଫେରୁଥିଲେ । ଫରିଦପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ମଇଁଷି ଶଗଡ ଗାଡି ସହ ଅଚ୍ଚନଙ୍କ ବସର ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଗୋଟିଏ ମଇଁଷିର ମୃତ୍ୟୁ ହୋଇଥିଲା । ଏକ ମାମଲା ରୁଜୁ ହେବା ସହ ଡ୍ରାଇଭର ଅଚ୍ଚନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ପରେ ସେ ବେଲ ମଧ୍ୟ ପାଇଥିଲେ ।