ଓଡିଶା

odisha

ETV Bharat / bharat

ଆସାମରେ ମୋଦିଙ୍କ ବଡ ବୟାନ, ଉତ୍ତର-ପୂର୍ବ ରାଜ୍ୟରୁ ହଟିବ AFSPA - ସୁରକ୍ଷା ବଳ ସ୍ବତନ୍ତ୍ର କ୍ଷମତା ବିବାଦ

ଆସାମ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ଉତ୍ତର-ପୂର୍ବରୁ ହଟିବ ସୁରକ୍ଷା ବଳ ସ୍ବତନ୍ତ୍ର କ୍ଷମତା ଆଇନ (AFSPA) । କହିଲେ ଗତ 8 ବର୍ଷରେ ସ୍ଥିତିରେ ଆସିଛି ବଡ ସୁଧାର । ଖୁବ ଶୀଘ୍ର ହଟାଇବା ନେଇ ଜାରି ରହିଛି ପ୍ରକ୍ରିୟା । ଅଧିକ ପଢନ୍ତୁ

ଉତ୍ତର-ପୂର୍ବରୁ ହଟିବ ସୁରକ୍ଷା ବଳ ସ୍ବତନ୍ତ୍ର କ୍ଷମତା: PM
ଉତ୍ତର-ପୂର୍ବରୁ ହଟିବ ସୁରକ୍ଷା ବଳ ସ୍ବତନ୍ତ୍ର କ୍ଷମତା: PM

By

Published : Apr 28, 2022, 3:38 PM IST

ଗୌହାଟୀ: ସୁରକ୍ଷା ବଳ ସ୍ବତନ୍ତ୍ର କ୍ଷମତା ଆଇନ (AFSPA)କୁ ନେଇ ଉତ୍ତର-ପୂର୍ବରେ ଲାଗି ପ୍ରତ୍ୟାହାର ନେଇ ଦାବି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ବଡ ଘୋଷଣା କରିଛନ୍ତି । ଖୁବ ଶୀଘ୍ର ଉତ୍ତର-ପୂର୍ବ ରାଜ୍ୟଗୁଡିକରୁ ହଟିବ ଏହି ସୁରକ୍ଷା ବଳ ସ୍ବତନ୍ତ୍ର କ୍ଷମତା ଆଇନ (AFSPA) । ଆଜି (ଗୁରୁବାର) ଆସାମ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ବି ଆଙ୍ଗଲୋଙ୍ଗରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଏହି ବଡ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 8ବର୍ଷ ମଧ୍ୟରେ ଆସାମ ସମେତ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଆଇନ ଶୃଙ୍ଖଳା ସ୍ଥିତିରେ ସୁଧାର ଆସିଛି । କିଛି ସ୍ଥାନରେ ସ୍ଥିତିକୁ ଦେଖି ଏହି ସ୍ବତନ୍ତ୍ର ସାମରିକ ଆଇନ ପତ୍ୟାହାର ମଧ୍ୟ ହୋଇଛି । ଆଗାମୀ ଦିନରେ ଉତ୍ତର ପୂର୍ବ ରାଜ୍ୟଗୁଡିକରୁ ଏହି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନିଆଯିବ ।

ଆସାମରେ ଦୀର୍ଘ 3ଦଶନ୍ଧି ଧରି ଏହି ସୁରକ୍ଷା ବଳ ସ୍ବତନ୍ତ୍ର କ୍ଷମତା ଆକ୍ଟ ବଳବତ୍ତର ରହିଛି । ତେବେ ଗତ 8 ବର୍ଷ ମଧ୍ୟରେ ପୂର୍ବାପେକ୍ଷା ପ୍ରାୟ 75 ପ୍ରତିଶତ ହିଂସା ହ୍ରାସ ପାଇଛି । ଯାହାକି ଏଠାକାର ଆଇନ ଶୃଙ୍ଖଳା ସ୍ଥିତିରେ ସୁଧାର ଆସିବାର ଏକ ବଡ ଉଦାହରଣ । ଗତ କିଛି ଦିନ ତଳେ ମଧ୍ୟ ଏହି ଆଇନର ସଙ୍କୋଚନ ନେଇ ମଧ୍ୟ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ବର୍ତ୍ତମାନ ଆସାମର 23 ଜିଲ୍ଲା ସମେତ ମେଘାଳୟ ଓ ତ୍ରିପୁରାର କିଛି ସ୍ଥାନରୁ ଏହି ଆଇନକୁ ପ୍ରତ୍ୟାହାର କରାଯାଇ ସାରିଛି । ଖୁବଶୀଘ୍ର ଅନ୍ୟ ଉତ୍ତର-ପୂର୍ବ ରାଜ୍ୟରୁ ମଧ୍ୟ ଏହାକୁ ପ୍ରତ୍ୟାହାର କରାଯିବା ନେଇ ପ୍ରଧାନମନ୍ତ୍ରୀ ମୋଦି ସୂଚନା ଦେଇଛନ୍ତି ।

ସେହିପରି ନାଗାଲାଣ୍ଡ, ମଣିପରୁରେ ମଧ୍ୟ ସ୍ଥିିତିରେ ସ୍ଥିରତା ଆଣିବା ଓ ହିଂସା ହ୍ରାସ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । ଆସାମ ଓ ମେଘାଳୟ ମଧ୍ୟରେ ଥିବା ସୀମା ବିବାଦ କେନ୍ଦ୍ରର ମଧ୍ୟସ୍ଥତାରେ ଦୁଇ ରାଜ୍ୟ ସଫଳତାର ସମାଧାନ କରିଛନ୍ତି । ଏହି ପ୍ରକ୍ରିୟା ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ଥିବା ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନକୁ ପ୍ରେରଣା ଯୋଗାଇବା ନେଇ ମଧ୍ୟ ମୋଦି କହିଛନ୍ତି ।

ନାଗାଲାଣ୍ଡରେ ଏକ ଆତଙ୍କୀ ଅପରେସନ ବେଳେ ଭୁଲ ସୂଚନା ଓ ସମନ୍ବୟ ଅଭାବରୁ ସାଧାରଣ ନାଗରିକ ସେନା କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିଲେ । 14 ଜଣ ସ୍ଥାନୀୟ ବସିନ୍ଦା ଓ ଜଣେ ଯବାନ ଗୁଳିମାଡରେ ପ୍ରାଣ ହରାଇବା ପରେ ନାଗାଲାଣ୍ଡ ସମେତ ଉତ୍ତର ପୂର୍ବରେ ପୁଣି AFSPA ପ୍ରତ୍ୟାହାର ଦାବି ଜୋର ଧରିଥିଲା । କେନ୍ଦ୍ରକୁ ଏହା ଉପରେ ଚିନ୍ତା କରିବା ପାଇଁ ଏକାଧିକ ଉତ୍ତର-ପୂର୍ବ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଆପତ୍ତି ଦର୍ଶାଇଥିଲେ । କିଛି ଦିନ ପରେ ଆସାମ ସମେତ ତ୍ରିପୁରା ଓ ମେଘାଳୟର କିଛି ସ୍ଥାନରୁ ଏହି ଆଇନକୁ ପ୍ରତ୍ୟାହାର ମଧ୍ୟ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details