ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସ୍ବଦେଶ ଫେରୁଛନ୍ତି ବିଭିନ୍ନ ଦେଶର ନାଗରିକ । ତେବେ ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରହିଥିବା ବେଳେ ଆଜି ପୁଣି ବିଭିନ୍ନ ବିମାନ ଯୋଗେ 146 ଜଣ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏହି 146 ଜଣ ଯାତ୍ରୀଙ୍କୁ ଅଲଗା ଅଲଗା ବିମାନରୁ ବାହାର କରି ଭାରତକୁ ଅଣାଯାଇଛି । କିଛି ବିମାନ ମଧ୍ୟ ବିଭିନ୍ନ ଦେଶରୁ ଆସି ଏଠାରେ ପହଞ୍ଚିଛି । ଏହି ଲୋକମାନଙ୍କୁ ଆମେରିକା ଏବଂ ଅନ୍ୟ ଦେଶମାନଙ୍କ ଦ୍ବାରା ଉଦ୍ଧାର କରାଯାଇଛି ।
ଆଜି ଆସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ସୁନୀଲ ନାମକ ଜଣେ ଯୁବକ କହିଛନ୍ତି ଯେ, ଆମେ ଅଗଷ୍ଟ 14 ରୁ ସେଠାରୁ ବାହାରିଥିଲୁ। କିନ୍ତୁ ଆମେରିକା ଦୂତାବାସର ଏକ ବିମାନ ଆମକୁ କତାରକୁ ନେଇଯାଇଥିଲା, ଯେଉଁଠାରେ ଆମେ ଏକ ସେନା ବେସରେ ରହିଥିଲୁ। ଏବଂ ଆମେରିକୀୟ ଦୂତାବାସ, ଭାରତୀୟ ଦୂତାବାସ ସହିତ କଥା ହେବା ପରେ, ଭାରତୀୟ ଦୂତାବାସର ଲୋକ ଆମକୁ ନେବାକୁ ଆସିଥିଲେ।
ପ୍ରକାଶ ଥାଉକି, ରବିବାର ଦିନ ଆଫଗାନିସ୍ତାନରୁ ମୋଟ 392 ଲୋକ ଭାରତ ଆସିଥିଲେ। ସେଥିମଧ୍ୟରୁ 168 ଲୋକ ହିଣ୍ଡନ ଏୟାରବେସରେ ଅବତରଣ କରିଥିଲେ। ସେଥିମଧ୍ୟରୁ 107 ଜଣ ଭାରତୀୟ ନାଗରିକ ଏବଂ 23 ଜଣ ଆଫଗାନିସ୍ତାନର ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟର ଥିଲେ। ତେବେ ଏମାନଙ୍କ ମଧ୍ୟରେ ଦୁଇଜଣ ସାଂସଦ, ଅନାରକଲୀ ଏବଂ ନରେନ୍ଦ୍ର ସିଂ ଖାଲସା ମଧ୍ୟ ସାମିଲ ଥିଲେ ।