ନୂଆଦିଲ୍ଲୀ:ସମ୍ପତ୍ତି ବିବାଦରୁ ସୁପ୍ରିମକୋର୍ଟରେ କାର୍ଯ୍ୟରତ ଆଇନଜୀବୀ ରେଣୁ ସିହ୍ନାଙ୍କୁ ହତ୍ୟା କରାଯାଇଛି । ହତ୍ୟା ପଛର ଅଭିଯୁକ୍ତ ନିଜେ ରେଣୁଙ୍କ ସ୍ବାମୀ । 4.5 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବିବାଦ କାରଣରୁ ମହିଳା ଓକିଲଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସ୍ପଷ୍ଟ କରିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ ମଧ୍ୟ କରାଯାଇଛି । ବର୍ତ୍ତମାନ ମାମଲାର ଅନ୍ୟାନ୍ୟ ଦିଗକୁ ଦୃଷ୍ଟିରେ ରଖି ପୋଲିସ ଅଧିକ ତଦନ୍ତ କରୁଛି ।
ସମ୍ପତ୍ତି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି:
ସୁପ୍ରିମକୋର୍ଟର କାର୍ଯ୍ୟରତ ଓକିଲ ରେଣୁ ସିହ୍ନାଙ୍କର ମୃତଦେହ ଗତକାଲି (ରବିବାର) ସନ୍ଦେହଜନକ ଅବସ୍ଥାରେ ନିଜ ଫ୍ଲାଟରୁ ଉଦ୍ଧାର କରାଯାଇଥିଲା । ରେଣୁ ମୃତଦେହ ନୋଏଡାର ସେକ୍ଟର-30 ରେ ଥିବା ଡି-40 ଫ୍ଲାଟର ବାଥରୁମରୁ ମିଳିଥିଲା । ପରେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ନେଇ ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡିବା ପରେ ପୋଲିସ ସେହି ଦିଗରେ ତଦନ୍ତ ଆରମ୍ଭ କରିଥିଲା । ତେବେ ପ୍ରାଥମିକ ତଦନ୍ତ ଆଧାରରେ ପୋଲିସ ଏହି ମାମଲାରେ ମୃତ ରେଣୁଙ୍କ ସ୍ବାମୀ ଅଜୟନାଥଙ୍କୁ ଗିରଫ କରିଛି । ରେଣୁଙ୍କ ନାମରେ ପ୍ରାୟ 4.5 କୋଟି ଟଙ୍କାର ସମ୍ପତ୍ତି ଥିବା କୁହାଯାଉଛି । ସ୍ୱାମୀ ଅଜୟନାଥ ଏହି ସମ୍ପତ୍ତି ବିକ୍ରି କରିବା ପାଇଁ ଦୀର୍ଘ ଦିନ ହେବ ଚାହୁଁଥିଲେ, କିନ୍ତୁ ରେଣୁ ଏହାକୁ ବିରୋଧ କରୁଥିଲେ । ଏହି କାରଣରୁ ସ୍ବାମୀ ଅଜୟନାଥ ରେଣୁଙ୍କୁ ବାରମ୍ବାର ଚାପ ପକାଇବା ସହ ଧମକ ମଧ୍ୟ ଦେଇଆସୁଥିଲେ । ହେଲେ ସମ୍ପତ୍ତି ବିକ୍ରି କରିବା ଯୋଜନାରେ ବିଫଳ ହେବା ପରେ ସେ ରେଣୁଙ୍କୁ ହତ୍ଯା କରିଥିଲେ । ହତ୍ୟା କରିବା ପରେ ମୃତଦେହ ବାଥରୁମରେ ଲୁଚାଇ ରଖି ଫେରାର ହୋଇଯାଇଥିଲେ । ଘର ବାହାରପଟୁ ବନ୍ଦ ଥିଲା ।