ବେଙ୍ଗାଲୁରୁ:ଗତକାଲି ଉତକ୍ଷେପଣ ହୋଇଥିବା ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ-1’ ଉପଗ୍ରହ ସମ୍ପୂର୍ଣ୍ଣ ସଠିକତାର ସହ ନିର୍ଦ୍ଧାରିତ ଭାବେ ଆଗକୁ ବଢୁଛି । ଆଜି ଏହି ଉପଗ୍ରହ ପ୍ରଥମ ପୃଥିବୀ ବନ୍ଧିତ କକ୍ଷପଥ (EBN#1) ପରିବର୍ତ୍ତନ କରି ଦ୍ବିତୀୟ କକ୍ଷପଥରେ ପ୍ରବେଶ କରିଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉପଗ୍ରହ ସମ୍ପୂର୍ଣ୍ଣ ଠିକ୍ ଅଛି ଓ ପୂର୍ବ ନିର୍ଦ୍ଧାରିତ ଭାବେ ଆଗକୁ ବଢୁଥିବା ମଧ୍ୟ ଇସ୍ରୋ ସ୍ପଷ୍ଟ କରିଛି ।
ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟ ମିଶନ କଣ୍ଟ୍ରୋଲରୁ ଏହାର ଗତିପଥ ଓ ଅନ୍ୟ ସମସ୍ତ କାର୍ଯ୍ୟାବଳୀ ମନିଟରିଂ କରାଯାଉଛି । ଏବେ ଏହା ପୃଥିବୀର ଦ୍ବିତୀୟ ତଥା 245 କି.ମି x 22,459 କି.ମି ଅଣ୍ଡାକୃତି ପରିଧି ବିଶିଷ୍ଟ ଚୁମ୍ବକୀୟ କକ୍ଷପଥରେ ଗତି କରୁଛି । 5 ତାରିଖରେ ଏହା ପରବର୍ତ୍ତୀ ବା ଦ୍ବିତୀୟ ପୃଥିବୀ ବନ୍ଧିତ କକ୍ଷପଥ ପରିବର୍ତ୍ତନ କରିବ । ଏହି ପ୍ରକ୍ରିୟା ପ୍ରାୟ ଭୋର 3ଟା (ଭାରତୀୟ ସମୟ)ରେ ହେବା ନେଇ ଇସ୍ରୋର ଆକଳନ କହୁଛି । ଏହା ପୃଥିବୀର କକ୍ଷପଥରେ ଏକାଧିକ ଥର ଅଣ୍ଡାକୃତି ପରିଧିରେ ପରିକ୍ରମା କରିବା ସହ ପୃଥିବୀଠାରୁ କ୍ରମଶଃ ଦୂରଗାମୀ ହୋଇ ଏହା ଏଲ-1 ପଏଣ୍ଟ ଅଭିମୁଖେ ଗତି କରିବ ।
ଏହି L-1 ପଏଣ୍ଟ୍ରେ ପହଞ୍ଚିବା ପାଇଁ ଏହି ମହାକାଶ ଯାନକୁ 125 ଦିନ ସମୟ ଲାଗିବ । ଏହି ମହାକାଶ ପଏଣ୍ଟ (ଏଲ-1) ପୃଥିବୀପୃଷ୍ଠରୁ ପ୍ରାୟ 15 ଲକ୍ଷ କିମି ଦୂରରେ ରହିଛି । ଏହା ପୃଥିବୀ-ସୂର୍ଯ୍ୟ ମଧ୍ୟରେ ମୋଟ ଦୂରତାର ପ୍ରାୟ ମାତ୍ର ଏକ ପ୍ରତିଶତ । ଏହିଠାରୁ ସୂର୍ଯ୍ୟର ବାହ୍ୟସ୍ତରକୁ ଅନୁଧ୍ୟାନ କରି ତଥ୍ୟ ପ୍ରରେଣ କରିବ ଏହି ଉପଗ୍ରହ । ପୂର୍ବରୁ ଭାରତ ଏକାଧିକ ଚନ୍ଦ୍ର ଅଭିଯାନ କରିସାରିଥିବା ବେଳେ ଏହା ପ୍ରଥମ ସୂର୍ଯ୍ୟ ଅଧ୍ୟୟନ ମିଶନ ।