ନୂଆଦିଲ୍ଲୀ:ବିବାଦରେ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ଟ୍ବିଟରେ 1984 ଶିଖ ବିରୋଧୀ ଦଙ୍ଗା ପରେ ରାଜୀବଙ୍କ ଏକ କୋଟ (ବ୍ୟାଖାନ/ଆଲେଖ୍ୟ)କୁ ନେଇ ଟ୍ବିଟ କରିବା ପରେ ଅଧୀରଙ୍କ ଅଡୁଆ ବଢିଛି । ଟ୍ବିଟ ବିବାଦକୁ ନେଇ ପଞ୍ଜାବ ନେତାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ସମାଲୋଚନା ପରେ ଟ୍ବିଟ ଡିଲିଟ କରିଛନ୍ତି ଅଧୀର । ସେ କହିଛନ୍ତି, ତାଙ୍କ ଆକାଉଣ୍ଟ ହ୍ୟାକ କରାଯାଇ ଏହି ଟ୍ବିଟ କରାଯାଇଛି । ଏହି ପରିପ୍ରେକ୍ଷୀରେ ଚୌଧୁରୀ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ।
ଚୌଧୁରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଫଟୋ ଏବଂ ଏକ ବିବାଦୀୟ ବିବୃତ୍ତି ଲେଖାଥିବା ଏକ ପୋଷ୍ଟ କରାଯାଇଥିଲା। ଯେତେବେଳେ ଏକ ବଡ଼ ଗଛ ପଡ଼େ, ଭୂମିରେ କମ୍ପନ ସୃଷ୍ଟି ହୁଏ "When a big tree falls, the ground shakes" ବୋଲି ଉକ୍ତ କୋଟରେ ଲେଖାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ 1984 ଶିଖ ବିରୋଧୀ ହିଂସାକୁ ଯଥାର୍ଥ ବୋଲି ଦର୍ଶାଇ ଏପରି ବିବାଦୀୟ ବିବୃତ୍ତି ଦେଇଥିଲେ ରାଜୀବ ଗାନ୍ଧୀ ।