ନୂଆଦିଲ୍ଲୀ:ଆଦାନି ଗ୍ରୁପ ବିରୋଧରେ ଅନ୍ତର୍ଜାତୀୟ ତଥା ଆମେରିକୀୟ ସଂସ୍ଥା ହିଣ୍ଡନବର୍ଗ ପ୍ରକାଶ କରିଥିବା ରିପୋର୍ଟର ତଦନ୍ତ ଶେଷ କରିବା ପାଇଁ ଅଧିକ ୧୫ ଦିନ ସମୟ ମାଗିଲା ତଦନ୍ତ କରୁଥିବା ଜାତୀୟ ସଂସ୍ଥା ସେବି ( SEBI ) । ତଦନ୍ତକାରୀ ସଂସ୍ଥା ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ଦାଖଲ କରିଥିବା ସଦ୍ୟତମ ରିପୋର୍ଟରେ ଏହା ଦର୍ଶାଇଛି ଯେ, ଏପର୍ଯ୍ୟନ୍ତ ୨୪ ଟି ମାମଲା ମଧ୍ୟରୁ ୧୭ଟିର ତଦନ୍ତ ଶେଷ ହୋଇଛି । ତେବେ ଏହି ତଦନ୍ତ ପ୍ରକ୍ରିୟାର ଶେଷ ହେବା ପାଇଁ ଅଧିକ ସମୟର ଆବଶ୍ୟକତା ଥିବା ସୁପ୍ରିମ କୋର୍ଟଙ୍କୁ ସେବି ଅବଗତ କରିଛି । ହିଣ୍ଡନବର୍ଗ ଓ ଆଦାନୀ ଗ୍ରୁପ ବିବାଦ ଉପରେ ଅଗଷ୍ଟ 14 ସୁଦ୍ଧା ତଦନ୍ତ ଶେଷ କରି ରିପୋର୍ଟ ପ୍ରଦାନ କରିବା ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଗତମାସ (ଜୁଲାଇ) ୧୧ ତାରିଖରେ ସର୍ବୋଚ୍ଚ କୋର୍ଟ ତଦନ୍ତର ଅଗ୍ରଗତି ସମ୍ପର୍କରେ ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ସେବିକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ତଦନ୍ତ ଅଗଷ୍ଟ ୧୪ ସୁଦ୍ଧା ଶେଷ କରି ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବାକୁ କୋର୍ଟ କହିଥିଲେ । ଆଜି ଏହି ମାମଲାରେ ରିପୋର୍ଟ ଦାଖଲ କରି ତଦନ୍ତକାରୀ ସଂସ୍ଥା ତଦନ୍ତ ଅଗ୍ରଗତି ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିଛି ।ଏହା ସହ ତଦନ୍ତ ଶେଷ କରିବାକୁ ଅତିରିକ୍ତ ୧୫ ଦିନର ସମୟ ମଧ୍ୟ ମାଗିଛି ।