ଚଣ୍ଡିଗଡ:ପଞ୍ଜାବରେ ଜାରି ରହିଛି ମତଦାନ । ମୋଗା ଜିଲ୍ଲାର ଏକ କେନ୍ଦ୍ରରେ ମତଦାନ ଜାରି ରହିଥିବା ବେଳେ ଅଭିନେତା ସୋନୁ ସୁଦ କେନ୍ଦ୍ର ମଧ୍ୟରେ ପ୍ରବେଶ କରିଥିବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି । ଫଳରେ ତାଙ୍କ କାରକୁ ଜବତ କରିଛି ପୋଲିସ । ପରେ ସୋନୁଙ୍କୁ ଘରକୁ ପଠାଇ ଦିଆଯାଇଥିବା ସୂଚନା ଦେଇଛି । ସୋନୁଙ୍କ ଭଉଣୀ ମାଳବିକା ସୁଦ କଂଗ୍ରେସ ପ୍ରାର୍ଥୀ ଭାବେ ମୋଗ ନିର୍ବାଚନୀ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରୁଛନ୍ତି ।
ମୋଗା ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋନୁ ତାଙ୍କ କାରରେ ଏକ ମତଦାନ କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ଯତ ହେଉଥିବା ବେଳେ ତାଙ୍କୁ ରୋକା ଯାଇଥିଲା । ତାଙ୍କ କାରକୁ ଜବତ କରାଯିବା ସହ ଘରକୁ ଫେରିଯିବାକୁ ପରାମର୍ଶ ଦିଆଯାଇଥିଲା । ତେବେ ମତଦାନ ନସରିବା ଯାଏ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଯଦି ସେ ଏପରି ପୁନର୍ବାର କରିବାକୁ ଚେଷ୍ଟା କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ମଧ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।