ହାଇଦ୍ରାବାଦ: 2024 ମସିହାରେ ସାଧାରଣ ନିର୍ବାଚନ ଅଛି ଏବଂ ଏହାପୂର୍ବରୁ ସମସ୍ତ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ଏଠାରେ ସାଧାରଣ ନିର୍ବାଚନ ପାଇଁ ଶାସକ ବିଜେପି ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛି । ଏହାରି ମଧ୍ୟରେ ଏକ ଖବର ଗଣମାଧ୍ୟମରେ ପ୍ରସାରିତ ହେଉଥିଲା ଯେ, ସାଉଥ ସୁପରଷ୍ଟାର ତଥା ରାଜନେତା ପବନ କଲ୍ୟାଣ ନିଜକୁ ଏନଡିଏ ଠାରୁ ଦୂରେଇ ରଖିଛନ୍ତି । 2024 ସାଧାରଣ ନିର୍ବାଚନକୁ 7 ମାସ ବାକି ଥିବାବେଳେ ସାଉଥ ସୁପରଷ୍ଟାର ବିଜେପିଠାରୁ ଦୂରେଇ ରହିଛନ୍ତି । ତେବେ ଏହି ଖବରକୁ ପବନ କଲ୍ୟାଣ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ଭବିଷ୍ୟତରେ ଯଦି ସେ ଏପରି ନିଷ୍ପତ୍ତି ନିଅନ୍ତି ତେବେ ସେ ଏହାକୁ ସଠିକ୍ ଭାବରେ ଘୋଷଣା କରିବେ ବୋଲି ସେ କହିଛନ୍ତି।
କୃଷ୍ଣା ଜିଲ୍ଲାର ପେଡାନାରେ ଏକ ସାଧାରଣ ସଭାରେ ଯୋଗ ଦେଇ ଜନସେନା ମୁଖ୍ୟପବନ କଲ୍ୟାଣ କହିଛନ୍ତି ଯେ, ଟିଡିପି ଏକ ଶକ୍ତିଶାଳୀ ଦଳ ଏବଂ ଆନ୍ଧ୍ରପ୍ରଦେଶରେ ସୁଶାସନ ଏବଂ ବିକାଶ ପାଇଁ ଟିଡିପି ରହିବା ଅତ୍ୟନ୍ତ ଜରୁରୀ, ଆଜି ଟିଡିପି ବହୁତ ସଂଘର୍ଷ କରୁଛି ଏବଂ ଆମେ ଏହାକୁ ସମର୍ଥନ କରିବୁ, ଏହି ସମୟରେ ଟିଡିପି ଜନସେନାଙ୍କ ଆବଶ୍ୟକତା ଅଛି, ଯଦି ଟିଡିପି ଏବଂ ଜନସେନା ହାତ ମିଳାନ୍ତି ତେବେ YSRCP ରାଜ୍ୟରୁ ବିଲୋପ ହୋଇଯିବ ।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର 14ରେ ପବନ କଲ୍ୟାଣ ରାଜମୁନ୍ଦ୍ରୀ ସେଣ୍ଟ୍ରାଲ୍ ଜେଲ୍ରେ ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିବାକୁ ଯାଇଥିଲେ । ଦକ୍ଷତା ବିକାଶ ଘୋଟାଲା ମାମଲାରେ ଚନ୍ଦ୍ରବାବୁ ଏବେ ଜେଲ୍ରେ ଅଛନ୍ତି ।