ଲକ୍ଷ୍ନୌ:ଅଭିନେତା ତଥା ଗୋରଖପୁର ସାଂସଦ ରବି କିଶନ ଠକେଇର ଶିକାର ହୋଇଛନ୍ତି । ମୁମ୍ବାଇର ଜଣେ ବ୍ୟବସାୟୀ ଜିତେନ୍ଦ୍ର ରମେଶ ତାଙ୍କଠାରୁ 3.25 କୋଟି ଟଙ୍କା ଠକି ନେଇଛନ୍ତି । ଏନେଇ ରବି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଠକେଇ ନେଇ ଜିତେନ୍ଦ୍ରଙ୍କ ବିରୋଧରେ ରବି କିଶନ କରିଥିବା ଅଭିଯୋଗରେ ଚେକ ବାଉନ୍ସ ହୋଇଥିବା କୁହାଯାଇଛି । ରବି କିଶନଙ୍କ ଟଙ୍କା ନଫେରେଇବା ସହ ବାଉନ୍ସ ଚେକ ଦେବା ନେଇ ଅଭିଯୋଗ ହୋଇଛି । 10 ବର୍ଷ ପୂର୍ବରୁ ଅର୍ଥାତ 2012ରେ ରବି କିଶନଙ୍କଠୁ ଜିତେନ୍ଦ୍ର ଟଙ୍କା ଧାର ନେଇଥିଲେ । ଟଙ୍କା ନେବାର ଦୀର୍ଘ ଦିନ ବିତିଥିଲେ ବି ଟଙ୍କା ଫେରସ୍ତ କରି ନଥିଲେ । ଯେତେବେଳେ ଜିତେନ୍ଦ୍ରଙ୍କୁ ଟଙ୍କା ଫେରାଇବା ନେଇ ରବି ଚାପ ପକାଇଥିଲେ ସେ ତାଙ୍କୁ ଗତ ବର୍ଷ ଡିସେମ୍ବରରେ 34 ଲକ୍ଷ ଟଙ୍କାର 12ଟି ଚେକ ଦେଇଥିଲେ । ରବି ସେଥିରୁ ଗୋଟିଏ ଗୋରଖପୁର ଏକ ଏସବିଆଇ ବ୍ୟାଙ୍କରେ ଜମା ଦେଇଥିଲେ କିନ୍ତୁ ତାହା ବାଉନ୍ସ ହୋଇଗଲା ।