ମୁମ୍ବାଇ:ସ୍ବାମୀକୁ ଛାଡି ପ୍ରେମିକ ସହ ଲିଭ ଇନରେ ରହୁଥିଲେ ମହିଳା । ପ୍ରେମିକ ବିବାହ କରିବାକୁ ମନା କରିବାରୁ ପୁଣି ଅନ୍ୟ ଜଣେ ଯୁବକଙ୍କ ସହ ରହୁଥିଲେ ମହିଳା ଜଣଙ୍କ । ଏହା ଜାଣିବା ପରେ ସ୍ବାମୀ ଓ ପ୍ରେମିକ ମୁଣ୍ଡକୁ ଚଢିଲା ପିତ । ଶୋଇଥିବା ସମୟରେ ମହିଳା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଏସିଡ ମାଡ କଲେ ସ୍ବାମୀ ଓ ପ୍ରେମିକ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ମହିଳା ଜଣକ । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ନାଲାସୋପାର ଅଞ୍ଚଳରେ ।
ଘଟଣାଟିଥିଲା ଏମିତି
ନାଲାସୋପାରା ପୂର୍ବ ୱାକାନପଡା ନିବାସୀ କରିସ୍ମା ଅଲି ଘାଟକୋପର ନିବାସୀ ତୌଫିକ ଇଡ୍ରାସୀଙ୍କୁ ବିବାହ କରିଥିଲେ । କିନ୍ତୁ ତୌଫିକ୍ ତାଙ୍କୁ ମାଡ ମାରିବାରୁ ଏଥିରେ ଅତିଷ୍ଠ ହୋଇ ସ୍ବାମୀଙ୍କୁ ଛାଡି ଦେଇଥିଲେ କରିସ୍ମା । ଏହାପରେ ସେ ତାଙ୍କ ପ୍ରେମିକ କମରନଙ୍କ ସହ ଲିଭ ଇନରେ ରହିବା ଆରମ୍ଭ କରିଥିଲେ । କିନ୍ତୁ କିଛି ଦିନ ପରେ କମରନ କରିସ୍ମାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଏହାପରେ କମରନ ସହ ସମ୍ପର୍କ ଭାଙ୍ଗିବା ପରେ ମହିଳା ଜଣଙ୍କ ନାଲାସୋପାର ଅଞ୍ଚଳର କମଲ ଖାନ ନାମକ ଜଣେ ଯୁବକଙ୍କ ସହ ରହୁଥିଲେ । କିଛି ଦିନ ପରେ ଏ ବିଷୟରେ ଜାଣିବାକୁ ପାଇଥିଲେ ସ୍ବାମୀ ତୌଫିକ୍ ଓ ପ୍ରେମିକ କମରନ । କରିସ୍ମାଙ୍କୁ ଏ ବିଷୟରେ ପଚାରିବା ସହ ଫେରି ଆସିବାକୁ କହିଥିଲେ, କିନ୍ତୁ କରିସ୍ମା ଉଭୟଙ୍କୁ ପ୍ରତ୍ୟାଖ୍ୟାନ କରି କମଲଙ୍କ ସହ ରହିବାକୁ ପସନ୍ଦ କରୁଥିବା କହିଥିଲେ । ଏଥିରେ ପ୍ରେମିକ ଏବଂ ସ୍ବାମୀ କ୍ରୋଧିତ ହୋଇ ପ୍ରତିଶୋଧ ନେବାକୁ ଷଡଯନ୍ତ୍ର କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଯବାନଙ୍କ ଗୁଳିରେ ଜଣେ ପାକିସ୍ତାନୀ ଆତଙ୍କୀ ସଫା
ଗତ ସୋମବାର ରାତି ପ୍ରାୟ ଦୁଇଟା ସମୟରେ କମଲ ଏବଂ କରିସ୍ମା ଘରେ ଶୋଇଥିଲେ । ଏହି ସମୟରେ ଘରର ଖୋଲା ଥିବା ଝରକା ପଟେ ଏସିଡ୍ ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ତୌଫିକ୍ ଓ କମରନ । ଏଥିରେ କରିସ୍ମାଙ୍କ ମୁହଁ ଓ ହାତ ପୋଡି ଯାଇଥିବା ବେଳେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ କମଲ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ଏନେଇ ଥାନାରେ ଅଭିଯୋଗ ପରେ ସ୍ୱାମୀ ତୌଫିକ ଏବଂ ପ୍ରେମିକ କମରନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।