ଗାନ୍ଧୀନଗର: 2002 ଗୁଜୁରାଟର ଗୋଧ୍ରାରେ ହୋଇଥିବା ଟ୍ରେନ ପୋଡି ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଗୁଜୁରାଟର ଏକ ସ୍ଥାନୀୟ କୋର୍ଟ । ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । 2002ରେ ଟ୍ରେନ ଭିତରେ 59 ଜଣ କରସେବକଙ୍କୁ ଜୀବନ୍ତ ପୋଡି ହତ୍ୟା କରିବା ପରେ ସାରା ପ୍ରଦେଶରେ ହିଂସା ଦେଖିବାକୁ ମିଳିଥିଲା।
Godhra train burning case: ଆଉ ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ - ଗୋଧ୍ରା ମାମଲାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
ଗୋଧ୍ରା ଦଙ୍ଗା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ସେସନ ଜଜଙ୍କ କୋର୍ଟ । ଅଧିକ ପଢନ୍ତୁ
ଗତକାଲି (ଶନିବାର) ଏହି ମାମଲାର ଶୁଣାଣି କରି ଗୋଧ୍ରା ଅତିରିକ୍ତ ଶେସନ ଜଜ କୋର୍ଟ ଏହି ମାମଲାର ରାୟ ପ୍ରକାଶ କରିଛନ୍ତି । ଏକାଧିକ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରଫିକ ଭାଟ୍ଟୁକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଗତବର୍ଷ (2021) ଫେବୃଆରୀରେ ଅଭିଯୁକ୍ତ ଭଟ୍ଟୁକକୁ ଗିରଫ କରିଥିଲା ଗୁଜୁରାଟ ପୋଲିସ । ଟ୍ରେନରେ ନିଆଁ ଲଗାଇବା ଘଟଣାରେ ସେ ସମ୍ପୃକ୍ତ ବୋଲି ଜଣାପଡିବା ପରେ ତାକୁ ଗିରଫ କରି ଗତବର୍ଷ ଠାରୁ ତା ବିରୋଧରେ ମାମଲା ଜାରି ରହିଥିଲା ।
2002 ଫେବୃଆରୀ 27 ତାରିଖରେ ଅଯୋଧ୍ୟାରୁ ରାମଜନ୍ମ ଭୂମୀରେ ବିଶେଷ ସେବା ସାରି ଏହି ଟ୍ରେନ ଯୋଗେ ଗୁଜୁରାଟ ଫେରୁଥିଲେ କର ସେବକ । ଗୋଧ୍ରା ଷ୍ଟେସନରେ ଉକ୍ତ ଟ୍ରେନର ଗୋଟିଏ ବଗିରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଉକ୍ତ ବଗିରେ ଥିବା 59 କରସେବକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା । ପରେ ଘଟଣା ସମ୍ପର୍କରେ ଖବର ପ୍ରଘଟ ହେବା ପରେ ସମଗ୍ର ଗୁଜୁରାଟରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା । ଏଥିରେ ପ୍ରାୟ 12 ଶହ ଲୋକଙ୍କ ମୃତ୍ୟୁ ଘଟିଥିଲା । ଘଟଣାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ଭାଟ୍ଟୁକ 35ତମ ଦୋଷୀ ଭାବେ ଦଣ୍ଡାଦେଶ ପାଇଛି । ପୂର୍ବରୁ ଏହି କାଣ୍ଡରେ ପ୍ରାୟ 34 ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିସାରିଛନ୍ତି କୋର୍ଟ ।