ନୂଆଦିଲ୍ଲୀ: ପୁଣି ଜାତୀୟ ରାଜଧାନୀରେ ଚାଞ୍ଚଲ୍ୟ । ଜାମିନ ପାଇ ଜେଲରୁ ବାହାରି ଥିବା ଦୁଷ୍କର୍ମ ଅଭିଯୁକ୍ତଙ୍କ ଉନ୍ମତ୍ତକାଣ୍ଡ । ପ୍ରତିଶୋଧ ପରାୟଣ ହୋଇ ଅଭିଯୋଗକାରିଣୀଙ୍କ ଝିଅଙ୍କ ଉପରେ ଏସିଡ୍ ମାଡ କରିବା ପରେ ନିଜେ ଏସିଡ୍ ପିଇ ଜୀବନ ହାରିଲା ଅଭିଯୁକ୍ତ । ଗତକାଲି(ଗୁରୁବାର) ଆନନ୍ଦ ପର୍ବତ ଥାନା ଅଞ୍ଚଳରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଘଟଣା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାରକରି ରାମ ମନୋହର ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି ଅଭିଯୁକ୍ତ । ଅନ୍ୟପଟେ 17 ବର୍ଷୀୟ ଏସିଡ ପୀଡିତା ଚିକିତ୍ସା ପରେ ଘରକୁ ଡିସଚାର୍ଜ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଏଭଳି କାଣ୍ଡ ଭିଆଇଥିବା ମୃତ ଯୁବକଙ୍କ ନାମ ପ୍ରେମ ସିଂ(54 ବର୍ଷ) ହୋଇଥିବା ବେଳେ ଗତ କିଛି ଦିନ ପୂର୍ବରୁ ହିଁ ସେ ବେଲରେ ତିହାର ଜେଲରୁ ବାହାରକୁ ଆସିଥିଲେ । ଏକ ଦୁଷ୍କର୍ମ ମାମଲାରେ ଗତ କିଛି ଦିନ ହେବ ଜେଲରେ ରହିଥିବା ବେଳେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଗତ 29 ତାରିଖରେ ହିଁ ଜେଲରୁ ବେଲରେ ଆସିଥିବା ନେଇ ପୋଲିସ କହିଛି । ଗୁରୁବାର ପ୍ରେମ ସିଂ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି ଦୁଷ୍କର୍ମ ମାମଲା ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରିଥିଲା। କିନ୍ତୁ ଅଭିଯୋଗକାରିଣୀ ମନା କରିବାରୁ ରାଗରେ ଜର୍ଜରିତ ହୋଇ 17 ବର୍ଷୀୟ ନାବାଳିକାଙ୍କ ଉପରେ ଅର୍ଥାତ ଅଭିଯୋଗକାରିଣୀଙ୍କ ଝିଅଙ୍କ ଉପରେ ଏସିଡ୍ ମାଡ କରିଥିଲା । ଏହାପରେ ନିଜେ ମଧ୍ୟ ଉକ୍ତ ସ୍ଥାନରେ ଅଭିଯୁକ୍ତ ଏସିଡ ପିଇ ଦେଇଥିଲେ । ଏହାପରେ ସ୍ଥାନୀୟ ଲୋକ ଦୁହିଁଙ୍କୁ ଉଦ୍ଧାର କରି ସ୍ଥାନୀୟ ରାମ ମନୋହର ହସ୍ପିଟାଲରେ ଭର୍ତ୍ତି କରିଥିଲେ ।