ଭୋପାଲ: ସାରା ଦେଶରେ ରଙ୍ଗର ପର୍ବ ହୋଲି ପାଳନ ଜାରି ରହିଥିବାବେଳେ ମଧ୍ୟପ୍ରଦେଶରୁ ଆସିଛି ଦୁଖଃଦ ଖବର । ସଡକ ଦୁର୍ଘଟଣା ଓ ନିଶାଶକ୍ତ କାରଣରୁ ଏକାଧିକ ସ୍ଥାନରେ ଦୁର୍ଘଟଣା ଘଟି ୨ଜଣ ପ୍ରାଣ ହରାଇ ଥିବାବେଳେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଆହତ ହୋଇ ଚିକିତ୍ସିତ ହେଉଥିବା ସାମ୍ନାକୁ ଆସିଛି । ଜାତୀୟ ରାଜପଥ ୪୬ରେ ଏକ କାରରେ ଏକ ବାଇକ ପିଟି ହୋଇ କଲଭର୍ଟ ତଳକୁ ଖସି ପଡିବାରୁ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁଇ ବାଇକ ଆରୋହୀ ନିଶାଶକ୍ତ ଅବସ୍ଥାରେ ଗାଡି ଚାଳାଉଥିବା ସନ୍ଦେହ କରାଯାଉ ଥିବାବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ନିଜକୁ ଛୁରୀ ମାରିଲା ନିଶାଶକ୍ତ ଯୁବକ, ଡାକ୍ତରଖାନାରେ ମୃତ୍ୟୁ
ସେହିପରି ରାଜ୍ୟରେ ଅନ୍ୟ ଏକ ଅଭାବନୀୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ହୋଲି ଖେଳିବା ବେଳେ କାଳ ହୋଇଛି ନିଶା । ବାଣାଗଙ୍ଗାରେ ହୋଲି ଖେଳ ଚାଲିଥିବାବେଳେ ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ ନିଜକୁ ଛୁରୀ ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପରେ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଯୁବକଙ୍କ ନାମ ଗୋପାଳ ଦର୍ଜୀ ବୋଲି ପୋଲିସ ସ୍ପଷ୍ଟ କରିଛି ।