ନୂଆଦିଲ୍ଲୀ:ଏବେ ଦେଶର ଏକାଧିକ ରାଜ୍ୟରେ ବିଧାନସଭାନିର୍ବାଚନ ସମୟରେ ଏକାଧିକ ବିରୋଧୀ ସାଂସଦଙ୍କ ମୋବାଇଲ ଫୋନକୁ ଆସିଥିବା ଆଲର୍ଟ ମେସେଜକୁ ନେଇ ରାଜନୀତି ଜୋର ଧରିଛି । ସରକାରୀ ପ୍ରାୟୋଜିତ ଗୁଇନ୍ଦାଗିରି ବୋଲି ବିରୋଧୀ ଅଭିଯୋଗ କରି ସୁରକ୍ଷା ମାଗିବା ସହ ବାଚସ୍ପତିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଅନ୍ୟପଟେ ଏହି ମାମଲାରେ କେନ୍ଦ୍ର ସରକାର ଆଇଫୋନ ନିର୍ମାତା ‘ଆପଲ’କୁ ସ୍ପଷ୍ଟୀକରଣ ମାଗିବା ସହ ପ୍ରାଥମିକ ପ୍ରତିକ୍ରିୟା ମଧ୍ୟ ଦେଇସାରିଛନ୍ତି । ଏହାରି ମଧ୍ୟରେ ବିରୋଧୀଙ୍କ ଏହି ଗମ୍ଭୀର ଅଭିଯୋଗକୁ ସମ୍ପୂର୍ଣ୍ଣ ଆଧାରହୀନ ବୋଲି କହିଛନ୍ତି ଶାସକ ଭାରତୀୟ ଜନତା ପାର୍ଟିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ।
ଅମିତ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି,‘‘ଏହି ପ୍ରସଙ୍ଗରେ ଆପଲ ମଧ୍ୟ ତଥ୍ୟ ରଖିସାରିଛି । ପ୍ରାୟ 150 ଦେଶରେ ଆପଲ ଡିଭାଇସ ବ୍ୟବହାର କରୁଥିବା ୟୁଜର୍ସଙ୍କ ନିକଟକୁ ଏହି ସତର୍କ ସୂଚନା ପ୍ରେରଣ କରାଯାଇଛି । ତେଣୁ ବିରୋଧୀଙ୍କର ସରକାରଙ୍କ ବିରୋଧରେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।’’ ସେହିପରି ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରି ସମାଲୋଚନା କରିଛନ୍ତି । କହିଛନ୍ତି, ବିଦେଶୀ ସଂସ୍ଥାମାନଙ୍କ ପାଣ୍ଠିରେ ରାହୁଲ ଏପରି ଅଭିଯୋଗ ଉଠାଉଛନ୍ତି । ରାହୁଲ କେବଳ ବିଦେଶୀ ଶକ୍ତିଙ୍କ ସାହାଯ୍ୟରେ ଏପରି ଅଭିଯୋଗ କରନ୍ତି, ମାତ୍ର ତଦନ୍ତରେ କୌଣସି ସହାୟତା କରନ୍ତିନାହିଁ । ଏବେ ସେମାନଙ୍କ ନିକଟରେ ସରକାରଙ୍କୁ ଘେରିବା ପାଇଁ କୌଣସି ପ୍ରସଙ୍ଗ ନାହିଁ, ତେଣୁ ସେମାନେ ଏହି ମିଥ୍ୟା ଓ ନିରାଧାର ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କୁ ବିବାଦ ମଧ୍ୟକୁ ଟାଣିବାକୁ ଚାହୁଁଛନ୍ତି ।