ଶ୍ରୀନଗର:ସୀମାପାର ଆତଙ୍କବାଦ ନେଇ ଭାରତୀୟ ସୁରକ୍ଷା ବଳ ହାତରେ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ସୂଚନା ଲାଗିଛି । ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ତଥା ନିୟନ୍ତ୍ରଣ ରେଖା (LOC)ର ଅପରପାର୍ଶ୍ବରେ ସକ୍ରିୟ ରହିଛି ପ୍ରାୟ 12ରୁ ଊର୍ଦ୍ଧ୍ବ ଆତଙ୍କୀ ଶିବିର । ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ଏହି ସବୁ ଆତଙ୍କୀ କ୍ୟାମ୍ପ ସକ୍ରିୟ ରହିଛି । ପାକିସ୍ତାନ ସେନା ସେମାନଙ୍କୁ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ଲାଗି ପ୍ରଶିକ୍ଷଣ ମଧ୍ୟ ଦେବାରେ ଲାଗିଛି ।
ଗୁଇନ୍ଦା ଇନପୁଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି କ୍ୟାମ୍ପରେ ପ୍ରାୟ 2ଶହ ଆତଙ୍କବାଦୀ ପ୍ରଶିକ୍ଷିତ ହେଉଛନ୍ତି । ସୁଯୋଗ ଦେଖି ସେମାନେ LOC ଅତିକ୍ରମ କରି ଭାରତୀୟ ସୀମାରେ ପ୍ରବେଶ କରିବେ । ପାକିସ୍ତାନ ସେନାର କମାଣ୍ଡରମାନେ ତାଙ୍କୁ ସମସ୍ତ ପ୍ରକାର ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ସହଯୋଗ ମଧ୍ୟ ଯୋଗାଇବାରେ ଲାଗିଛନ୍ତି । ଏହି କ୍ୟାମ୍ପଗୁଡିକରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା, ଜୈସ-ଏ ମହମ୍ମଦ, ଜିଜବୁଲ ମୁଜାହିଦ୍ଦିନ ପ୍ରମୁଖ ଆତଙ୍କୀ ଗୋଷ୍ଠୀ ସେମାନଙ୍କ ଜିହାଦୀମାନଙ୍କୁ ଅନୁପ୍ରବେଶ ଓ ଆକ୍ରମଣ ତାଲିମ ଦେଉଛନ୍ତି । ପ୍ରତିବର୍ଷ ଶୀତ ଋତୁ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ କରେ ।