ନୂଆଦିଲ୍ଲୀ:ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ (OAT) କୁ ଉଚ୍ଛେଦ କରାଯିବା ନିଷ୍ପତ୍ତିକୁ ବୈଧ ଦର୍ଶାଇଛନ୍ତି ସର୍ବୋଚ୍ଚ କୋର୍ଟ । ଆଜି ଏହି ମାମଲାରେ ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ବାର୍ ଆସୋସିଏସନ୍ ଦ୍ବାରା ଦାଖଲ ହୋଇଥିବା ଆବେଦନକୁ ସର୍ବୋଚ୍ଚ କୋର୍ଟଙ୍କ ଖଣ୍ଡପୀଠ ଖାରଜ କରିବା ସହ 2019 ରେ କେନ୍ଦ୍ର ସରକାର ଜାରି କରିଥିବା ଉଚ୍ଛେଦ ବିଜ୍ଞପ୍ତିକୁ ଆଇନସମ୍ମତଃ ଦର୍ଶାଇଛନ୍ତି । ଓଡିଶା ପ୍ରଶାସନିକ ନ୍ୟାୟାଧିକାରଣକୁ ଉଚ୍ଛେଦ କରାଯିବା ନେଇ ଓଡିଶା ହାଇକୋର୍ଟ ରାୟ ପ୍ରକାଶ କରିଥିଲେ । ଯାହାକୁ ସର୍ବୋଚ୍ଚ କୋର୍ଟରେ ହାଜର ଟ୍ରିବ୍ୟୁନାଲ ବାର ଆସୋସିଏସନ ଚ୍ୟାଲଞ୍ଜ କରିଥିଲା । ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ।
ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ‘‘ସମ୍ବିଧାନର ଧାରା 323-A ଭାରତ ସରକାରକୁ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ କରିବାକୁ ବାରଣ କରେ ନାହିଁ । ଟ୍ରିବ୍ୟୁନାଲକୁ ରଦ୍ଦ କରିବା ନିଷ୍ପତ୍ତି ଜେନେରାଲ କ୍ଲଜ୍ ଆକ୍ଟର ଧାରା 21 ଅନୁସାରେ ଆଇନତଃ ବୈଧ । ଟ୍ରିବ୍ୟୁନାଲ ରଦ୍ଦ ନିଷ୍ପତ୍ତି ସମ୍ବିଧାନର ଧାରା 14ର ଉଲ୍ଲଂଘନ ନୁହେଁ ।”
2015 ରେ ରାଜ୍ୟ ସରକାର ଏହି ଟ୍ରିବ୍ୟୁନାଲକୁ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ସେବା ସମ୍ପର୍କିତ ମାମଲାର ବିଚାର ଓ ତ୍ବରିତ ନ୍ୟାୟ ପ୍ରଦାନ କରିବା ପାଇଁ ଏହି ଟ୍ରିବ୍ୟୁନାଲ ଗଠନର ମୂଳ ଉଦ୍ଦେଶ୍ୟ ଥିଲା । ଯାହାର କାର୍ଯ୍ୟକାରିତା ପରବର୍ତ୍ତୀ ସମୟରେ ବିଫଳ ହୋଇଥିବା ପରି ଅନୁଭବ ହେବା ପରେ ଏହାର ଉଚ୍ଛେଦ ନିଷ୍ପତ୍ତି ସମ୍ପର୍କରେ ବିଚାର ଆରମ୍ଭ ହୋଇଥିଲା । ଏହି ଟ୍ରିବ୍ୟୁନାଲର ସ୍ଥାୟିତ୍ବ ନେଇ ରାଜ୍ୟ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ମଧ୍ୟ ମାଗିଥିଲେ । କେନ୍ଦ୍ର ସରକାର 2019 ମସିହା ଅଗଷ୍ଟ 2 ତାରିଖରେ ଏକ ଗେଜେଟ ବିଜ୍ଞପ୍ତି ଜାରି କରି ଏହାକୁ ଆନୁଷ୍ଠାନିକ ଭାବେ ଉଚ୍ଛେଦ କରିଥିଲା ।
1986 ମସିହାରେ ରାଜ୍ୟ ସରକାର ଗଠନ କରିଥିଲେ ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ । ରାଜ୍ୟ ସରକାରୀ କର୍ମଚାରୀଙ୍କ ସେବା ସମ୍ବନ୍ଧୀୟ ଅଭିଯୋଗର ଶୀଘ୍ର ସମାଧାନ ଏହି ଟ୍ରିବ୍ୟୁନାଲ ଗଠନର ମୂଳ ଓ ଏକମାତ୍ର ଉଦ୍ଦେଶ୍ୟ ଥିଲା । ରାଜଧାନୀରେ ଭୁବନେଶ୍ୱରରେ ଏହାର ମୁଖ୍ୟ ଖଣ୍ଡପୀଠ (ପ୍ରିନ୍ସିପାଲ୍ ବେଞ୍ଚ) ବ୍ୟତୀତ ଅନ୍ୟ କିଛି ସହରରେ ଏହାର ଶାଖା ଖଣ୍ଡପୀଠ ମଧ୍ୟ ସ୍ଥାପନ କରାଯାଇଥିଲା । ବର୍ଷ 2019 ରେ ଏହାକୁ ଉଚ୍ଛେଦ କରାଯାଇଥିଲା । କେନ୍ଦ୍ରର ବିଜ୍ଞପ୍ତିକୁ ଉଚିତ ଦର୍ଶାଇଥିଲେ ହାଇକୋର୍ଟ । ହେଲେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଟ୍ରିବ୍ୟୁନାଲ ବାର ଆସୋସିଏସନ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଥିଲା । ଆଜି ସର୍ବୋଚ୍ଚ କୋର୍ଟ ଖଣ୍ଡପୀଠ ମଧ୍ୟ ଏହାର ଉଚ୍ଛେଦକୁ ବୈଧ ଦର୍ଶାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ