ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ପଲିସି ଘୋଟାଲାରେ ସମ୍ପୃକ୍ତି ଅଭିଯୋଗରେପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହେଲେ ଆମ ଆଦମୀ ପାର୍ଟି (AAP)ର ଆଉ ଜଣେ ବରିଷ୍ଠ ନେତା । ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିବା ସୂଚନା ମିଳିଛି । ପୂର୍ବାହ୍ନରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସଂଞ୍ଜୟଙ୍କ ବାସଭବନରେ ଚଢାଉ ଜାରି ରଖିଥିଲା । ଶେଷରେ ତାଙ୍କୁ ବିଳମ୍ବିତ ଅପରାହ୍ନରେ ଗିରଫ କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଏହି ମାମଲାରେ ଆପର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଇଡି ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି ।
ସୂଚନା ଅନୁସାରେ, ଏହି ବହୁଚର୍ଚ୍ଚିତ ମାମଲାରେ ତଦନ୍ତକାରୀ ସଂସ୍ଥା ଦ୍ବାରା ପୂର୍ବରୁ ଦାଖଲ କରାଯାଇଥିବା ଚାର୍ଜସିଟରେ ସଞ୍ଜୟଙ୍କ ନାମ ଉଲ୍ଲେଖ କରାଯାଇଥିଲା । ସଂଞ୍ଜୟ ଏହି ମାମଲାରେ ସମ୍ପୃକ୍ତ ଓ ୮୨ ଲକ୍ଷର ଚାନ୍ଦା ସଂଗ୍ରହ କରିଥିବା ତଦନ୍ତକାରୀ ସଂସ୍ଥା ଦର୍ଶାଇଥିଲା । ଆଜି (ବୁଧବାର) ଏହି ମାମଲାରେ ସକାଳ 7ଟାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ସଞ୍ଜୟଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଚଢାଉ କରିଥିଲେ । ଏଥିରେ ଏକାଧିକ କାଗଜପତ୍ର ଜବତ କରାଯାଇଥିବା କୁହାଯାଉଛି । ତେବେ ପୂର୍ବାହ୍ନରୁ ଦୀର୍ଘ ସମୟର ପଚରା ଉଚରା ପରେ ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ସଂଞ୍ଜୟଙ୍କୁ ଗିରଫ କରି ଇଡି କାର୍ଯ୍ୟାଳୟକୁ ନେଇଥିବା ସୂଚନା ମିଳିଛି ।
ଏହି ଘଟଣାରେ ଏହା ହେଉଛି ଆମ ଆଦମୀ ପାର୍ଟି ନେତାଙ୍କ ଦ୍ବିତୀୟ ଗିରଫଦାରୀ । ପୂର୍ବରୁ ସିସୋଦିଆ ଗିରଫ ହୋଇ ଜେଲରେ ରହିଛନ୍ତି । ଅନ୍ୟ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ମଧ୍ୟ ଦଳର ଯୁବନେତା ତଥା ସାଂସଦ ରାଘବ ଚଢାଙ୍କ ନାମ ମଧ୍ୟ ରହିଛି । କେବଳ ଦଳର ଅନ୍ୟ ନେତାମାନେ ନୁହନ୍ତି ବରଂ ନିଜେ ଦଳମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଏହି ମାମଲାରେ ସମନ ପାଇ ଜେରାର ସମ୍ମୁଖୀନ ହୋଇ ସାରିଛନ୍ତି ।
ଦିଲ୍ଲୀର ଅବକାରୀ ପଲିସି ଘୋଟାଲା କଣ ?