ନୂଆଦିଲ୍ଲୀ:ହଙ୍ଗାମା, ଯୁକ୍ତିତର୍କ ଭିତରେ ଶୁକ୍ରବାର ରାଜ୍ୟସଭାରେ ସୃଷ୍ଟି ହୋଇଥିଲା ଏକ ମଜାଳିଆ ପରିବେଶ । ଯେତେବେଳେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ପଚାରିଥିଲେ, 'ଆପଣ କେତେ ଥର ପ୍ରେମ କରିଛନ୍ତି ?' । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ କଂଗ୍ରେସ ସାଂସଦ ଉପରାଷ୍ଟ୍ରପତିଙ୍କୁ ଏହି ପ୍ରଶ୍ନ ପଚାରିଛନ୍ତି । ଉଚ୍ଚ ସଦନର ଉପସଭାପତି ଏହି ପ୍ରଶ୍ନର କିଛି ଉତ୍ତର ଦେଇନଥିବା ବେଳେ ସ୍ମିତହାସ୍ୟ ଦେଇଥିବା ଦେଖିବାକୁ ମିଳିଛି ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଭିଭାଷଣର କିଛି କଥାକୁ ହଟାଇ ଦିଆଯାଇଥିଲା । ଏହାକୁ ନେଇ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଥିଲେ, " ଆପଣଙ୍କୁ (ଉପରାଷ୍ଟ୍ରପତି ଧନଖଡ଼) ନେଇ ଖଡ଼ଗେ ଏକ କବିତା ଲେଖିଥିଲେ । ଏହା ଉପରେ ଉପରାଷ୍ଟ୍ରପତି କହିଥିଲେ ଶାୟରୀରୁ ପ୍ରେମ ହୋଇଥାଏ ଓ ପ୍ରେମରୁ ଶାୟରୀ ଆସିଥାଏ ।" ଏହି ସମୟରେ କଂଗ୍ରେସ ସାଂସଦ ଉପରାଷ୍ଟ୍ରପତିଙ୍କୁ ପଚାରିଥିଲେ, "ଆପଣ ନିଜ ଜୀବନରେ କେତେ ଥର ପ୍ରେମ କରିଛନ୍ତି ? କାରଣ ପ୍ରତିଟି ବ୍ୟକ୍ତି ନିଜ ଜୀବନରେ ପ୍ରେମ କରିଥାଏ । ବିରୋଧୀ ଦଳ ନେତା ଆପଣଙ୍କ ପାଇଁ ଏକ କବିତା ଲେଖିଛନ୍ତି ।"
ଏହା ବି ପଢନ୍ତୁ- Rajasthan Budget: ବିଧାନସଭାରେ ପୁରୁଣା ବଜେଟ ପଢିଲେ ମୁଖ୍ୟମନ୍ତ୍ରୀ, ହସିଲେ ବିରୋଧି
ତେବେ କଂଗ୍ରେସ ସାଂସଦଙ୍କ ଏହି କଥା ଶୁଣି ଉପରାଷ୍ଟ୍ରପତି କୌଣସି ପ୍ରତିକ୍ରିୟା ଦେଇନଥିଲେ, ବରଂ ସ୍ମିତହାସ୍ୟ ଦେଇଥିବା ଦେଖିବାକୁ ମିଳିଥିଲା । ଏହାସହିତ ଉପରାଷ୍ଟ୍ରପତି କିଛି ସଦସ୍ୟଙ୍କୁ ନେଇ ଅଭିମାନ ମଧ୍ୟ କରିଥିଲେ । ସେ କହିଥିଲେ, "ଗୃହର ସଦସ୍ୟ ମୋ ଲାଗି ଯାହା ଲେଖନ୍ତି, ତାକୁ ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । ଏହା ନିୟମର ଉଲ୍ଲଘଂନ । ତେବେ ବଜେଟ ଅଧିବେଶନ ଶେଷ ପରେ ଏନେଇ ମୁଁ ଆପଣମାନଙ୍କ ସହିତ ଆଲୋଚନା କରିବି । "କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ମନ୍ତବ୍ୟକୁ ବହିଷ୍କାର କରିବା ପଛରେ ଧନଖଡଙ୍କ ଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ ।
ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ସମାନ ପ୍ରକାରର ଭାଷା ବ୍ୟବହାର କରାଯାଇଥିବାର ଦାବି କରିଥିଲେ । ଉପରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରିବା ସହ ଏହା କୌଣସି ନିୟମର ଉଲ୍ଲଘଂନ ବୋଲି ମଧ୍ୟ କହିଥିଲା । ଅନ୍ୟପଟେ ବୁଧବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମୋଦି ଓ ଆଦାନୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି ବୋଲି ଅଭିଯୋଗ ଆଣିଥିଲେ । ଏହାସହିତ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି (JPC) ତଦନ୍ତ ଦାବି କରିଥିଲା । ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ଏହାକୁ ବିରୋଧୀଙ୍କ ନିରାଶାଭାବ ବୋଲି କହିଥିଲେ । ଭାରତ କେନ୍ଦ୍ର ସରକାରଙ୍କ ନେତୃତ୍ବରେ ବିକାଶ କରୁଥିବାରୁ ଏହାକୁ ସହ୍ୟ କରିନପାରି ବିରୋଧୀ ଏପରି ନିରାଶାଭାବ ପ୍ରକାଶ କରୁଥିବା ମୋଦି କହିଥିଲେ ।