ଓଡିଶା

odisha

ବିଜୁଳି ବୋର୍ଡରୁ ଦୁଇ ସରକାରୀ ପ୍ରତିନିଧିଙ୍କୁ ହଟାଇଲ ଉପରାଜ୍ୟପାଳ, ବର୍ଷିଲା AAP

By

Published : Feb 11, 2023, 6:22 PM IST

ଘରୋଇ ବିଦ୍ୟୁତ ବିତରଣ କମ୍ପାନୀ ବୋର୍ଡରୁ AAP ସରକାରଙ୍କ ଦୁଇ ପ୍ରତିନିଧିଙ୍କୁ ବିଦା କଲେ ଉପରାଜ୍ଯପାଳ । ବର୍ଷିଲା ଆପ୍ ଦଳ, ସିସୋଦିଆ କହିଲେ ସମ୍ବିଧାନକୁ ମାନୁନାହାନ୍ତି ଉପରାଜ୍ୟପାଳ । ଅଧିକ ପଢନ୍ତୁ

ବିଜୁଳି ବୋର୍ଡରୁ ଦୁଇ ସରକାରଙ୍କ ପ୍ରତିନିଧିଙ୍କୁ ହଟାଇଲ ଉପରାଜ୍ୟପାଳ
ବିଜୁଳି ବୋର୍ଡରୁ ଦୁଇ ସରକାରଙ୍କ ପ୍ରତିନିଧିଙ୍କୁ ହଟାଇଲ ଉପରାଜ୍ୟପାଳ

ନୂଆଦିଲ୍ଲୀ:କିଛି ଦିନର ବ୍ୟବଧାନ ପରେ ପୁଣି ଦିଲ୍ଲୀରେ ଉପରାଜ୍ୟପାଳ ଓ ସରକାର ବିବାଦ ଭିନ୍ନ ପ୍ରସଙ୍ଗକୁ ନେଇ ମୁଣ୍ଡ ଟେକିବାରେ ଲାଗିଛି । ଆଜି ଘରୋଇ ବିଦ୍ୟୁତ ବିତରଣ କମ୍ପାନୀ ବୋର୍ଡରୁ ସରକାରଙ୍କ ଦୁଇ ପ୍ରତିନିଧିଙ୍କୁ ହଟାଇ ଦେଇଛନ୍ତି ଉପରାଜ୍ୟପାଳ ବିନୟ ସକ୍ସେନା । ଆମ ଆଦମୀ ପାର୍ଟିର ପ୍ରବକ୍ତା ଜଶମିନ ଶାହ ଓ ଅନ୍ୟ ଜଣେ କାର୍ଯ୍ୟକର୍ତ୍ତା ନବୀନ ଏନଡି ଗୁପ୍ତାଙ୍କୁ ଏହି ବୋର୍ଡ ସଦସ୍ୟତାରୁ ରାଜଭବନ ପକ୍ଷରୁ ହଟାଯାଇଛି । ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ନିଯୁକ୍ତିକୁ ନେଇ ଗତ କିଛି ମାସ ଧରି ବିବାଦ ଲାଗିରହିଥିଲା ।ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ବିରୋଧୀ ଦଳ ନେତା ଉପରାଜ୍ୟପାଳଙ୍କୁ ନିବେଦନ ମଧ୍ୟ କରିଥିଲେ ।

ଉପରାଜ୍ୟପାଳଙ୍କ ଏହି ନିର୍ଦ୍ଦେଶକକୁ ବେଆଇନ ଓ ଅସାମ୍ବିଧାନିକ ବୋଲି କହିଛି ଆମ ଆଦମୀ ପାର୍ଟି । ବିଦ୍ୟୁତ ଯୋଗାଣ କ୍ଷେତ୍ରରେ କେବଳ ନିର୍ବାଚିତ ସରକାର ହିଁ ନିର୍ଦ୍ଦେଶ ଜାରି କରିପାରିବେ ବୋଲି ଦଳ କହିଛି । ଉପରାଜ୍ୟପାଳ ସମ୍ବିଧାନ ଓ ସର୍ବୋଚ୍ଚକୋର୍ଟଙ୍କ ପ୍ରଦତ୍ତ ରାୟକୁ ଉଲଙ୍ଘନ କରୁଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ରାୟ ତାଙ୍କ ଉପରେ କାର୍ଯ୍ୟକାରୀ ନୁହେଁ ବୋଲି ଉପରାଜ୍ୟପାଳ ଭାବୁଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରିଛି ।


ଆଜିର ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଉପରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି ଦଳର ବରିଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସିସୋଦିଆ କହିଛନ୍ତି, ବିଜୁଳି ଯୋଗାଣ ନିର୍ବାଚିତ ସରକାରଙ୍କ ଅଧୀନସ୍ଥ ବିଷୟ । ଏଥିରେ ହସ୍ତକ୍ଷେପ କରିବାର କ୍ଷମତା ଉପରାଜ୍ୟପାଳଙ୍କୁ କି’ଏ ଦେଲା । ଉପରାଜ୍ୟପାଳ କେବଳ ଜମି, ପୋଲିସ ଓ ପବ୍ଲିକ ଅର୍ଡର ସମ୍ପର୍କିତ ବିଷୟରେ ନିଷ୍ପତ୍ତି ଗ୍ରହଣ କରିପାରିବେ । ଅନ୍ୟ ସମସ୍ତ ବିଷୟ ପାଇଁ ନିର୍ବାଚିତ ସରକାର ରହିଛନ୍ତି । ନିଜ ଅଧିକୃତ ବିଷୟ ଛଡା ଅନ୍ୟ ବିଷୟଗୁଡିକରେ ଉପରାଜ୍ୟପାଳ କେବଳ ପରାମର୍ଶ ଦେଇପାରିବେ, ନିଷ୍ପତ୍ତି ଗ୍ରହଣ କରିପାରିବେ ନାହିଁ । ଏହି କ୍ଷେତ୍ରରେ ଉପରାଜ୍ୟପାଳ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ କରୁଛନ୍ତି । ସେ ସମ୍ବିଧାନ ଓ ସର୍ବୋଚ୍ଚ କୋର୍ଟଙ୍କ ରାୟର ମଧ୍ୟ ଉଲଙ୍ଘନ କରୁଛନ୍ତି ବୋଲି ସିସୋଦିଆ କହିଛନ୍ତି ।

କିଛି ଦିନ ପୂର୍ବରୁ ଦିଲ୍ଲୀରେ ସାମ୍ବିଧାନିକ ଅଚଳାବସ୍ଥା ସୃଷ୍ଟି ହେବା ପରି ସ୍ଥିତି ଦେଖିବାକୁ ମିଳିଥିଲା । ସରକାରୀ ଶିକ୍ଷକଙ୍କୁ ଗୁଣାତ୍ମକ ପ୍ରଶିକ୍ଷଣ ପାଇଁ ଫିନଲ୍ୟାଣ୍ଡ ପଠାଇବା ନିଷ୍ପତ୍ତିକୁ ରାଜଭବନ ପକ୍ଷରୁ ରୋକ ଲଗାଯିବା ପରେ ସରକାର ଓ ଉପରାଜ୍ୟପାଳ ମୁହାଁମୁହିଁ ସ୍ଥିତିକୁ ଆସିଥିଲେ । ଦୀର୍ଘ କିଛି ଦିନ ଧରି ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବୈଠକ ନହୋଇପାରି ଝୁଲି ରହିଥିଲା । ଉଭୟ ପକ୍ଷ ନିଜ ଜିଦରେ ଅଟଳ ଥିଲେ । ପରେ ପୁଣି ବୈଠକ ସମ୍ଭବ ହୋଇଥିଲା । ତେବେ ଏହାର ମାତ୍ର କିଛି ଦିନ ପରେ ପୁଣି ଦିଲ୍ଲୀରେ ସରକାର ଓ ରାଜଭବନ ମଧ୍ୟରେ ତିକ୍ତତା ସୃଷ୍ଟି ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details