ଓଡିଶା

odisha

ETV Bharat / bharat

Bengaluru Opposition Meet: କଂଗ୍ରେସର ସମର୍ଥନ ପରେ ଯୋଗ ଦେବା ନେଇ AAPର ଘୋଷଣା - ଦିଲ୍ଲୀ ଅଧ୍ୟାଦେଶ ବିବାଦ ପ୍ରସଙ୍ଗ

ବେଙ୍ଗାଲୁରୁ ମିଳିତ ବିରୋଧୀ ବୈଠକରେ ଯୋଗଦେବ AAP । କଂଗ୍ରେସର ସମର୍ଥନ ପରେ କେଜ୍ରିଓ୍ବାଲଙ୍କ ବାସଭବନରେ ବୈଠକ ପରେ ସ୍ପଷ୍ଟ କଲେ ଦଳୀୟ ସାଂସଦ ରାଘବ ଚଢା । ଅଧିକ ପଢନ୍ତୁ

Bengaluru Opposition Meet : କଂଗ୍ରେସର ସମର୍ଥନ ପରେ ଯୋଗ ଦେବ AAP
Bengaluru Opposition Meet : କଂଗ୍ରେସର ସମର୍ଥନ ପରେ ଯୋଗ ଦେବ AAP

By

Published : Jul 16, 2023, 7:36 PM IST

ନୂଆଦିଲ୍ଲୀ: ବେଙ୍ଗାଲୁରୁ ବିରୋଧୀ ମେଳିରେ ସାମିଲ ହେବ ଆମ ଆଦମୀ ପାର୍ଟି । ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସ ଦଳକୁ ସମର୍ଥନ ଦେବା ପରେ ଆପ ପକ୍ଷରୁ ବିରୋଧୀ ବୈଠକରେ ସାମିଲ ହେବା ନେଇ ସ୍ପଷ୍ଟ କରାଯାଇଛି । ଅପରାହ୍ନରେ କଂଗ୍ରେସ ସଂସଦରେ ଦିଲ୍ଲୀ ପ୍ରଶାସନିକ ଅଧ୍ୟାଦେଶକୁ ବିରୋଧ କରିବା ନେଇ ସ୍ପଷ୍ଟ କରିବା ପରେ ଆମ ଆଦମୀ ପାର୍ଟିର ସାଂସଦ ରାଘବ ଚଡ୍ଡା, ଦିଲ୍ଲୀ ମନ୍ତ୍ରୀ ଅତିସି ପ୍ରମୁଖ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ତଥା ଦଳର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାସଭବନରେ ପହଞ୍ଚି ଆଲୋଚନା କରିଥିଲେ । ଆଲୋଚନା ଶେଷ ହେବା ପରେ ରାଘବ ଚଡ୍ଡା ଦଳ ଆସନ୍ତାକାଲିର ବିରୋଧୀଙ୍କ ବେଙ୍ଗାଲୁରୁ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବା ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି ।

ସାଂସଦ ଚଢା କହିଛନ୍ତି, "ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ସହ ଦଳର ରାଜନୈତିକ ବ୍ୟାପର କିମିଟି ଆଲୋଚନା କରିଛି । ଏହି ବୈଠକରେ ଅଧ୍ୟାଦେଶ ଓ ଏହି ପ୍ରସଙ୍ଗରେ ସମସ୍ତ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି । ଏହା ସ୍ପଷ୍ଟ ହୋଇଛି ଯେ, ଏହି କେନ୍ଦ୍ରୀୟ ଅଧ୍ୟାଦେଶ ଦେଶ ବିରୋଧୀ । ଏହି ଅଧ୍ୟାଦେଶକୁ ତୃଣମୂଳ କଂଗ୍ରେସ, RJD, JDU, ସମାଜବାଦୀ ପାର୍ଟି, ଉଦ୍ଧବ ଠାକରେ ନେତୃତ୍ବାଧୀନ ଶିବସେନା ଗୋଷ୍ଠୀ ଓ ଅନ୍ୟମାନେ ବିରୋଧ କରିସାରିଛନ୍ତି । ଏହାକୁ ପରାସ୍ତ କରିବାରେ ସମସ୍ତ ସମ୍ଭାବନା ଏବେ ସ୍ପଷ୍ଟ ।"

ଅନ୍ୟପଟେ ବେଙ୍ଗାଲୁରୁରେ ହେବାକୁ ଥିବା ଏହି ମହାମେଳି ପାଇଁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି । ବିରୋଧୀ ଦଳର ନେତାଙ୍କୁ ସ୍ବାଗତ କରିବା ଲାଗି ପୋଷ୍ଟର ଓ ବ୍ୟାନର ମଧ୍ୟ ଲାଗିସାରିଛି । କେଜ୍ରିଓ୍ବାଲଙ୍କ ଯୋଗଦାନ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ କଂଗ୍ରେସର ଅଧ୍ୟାଦେଶ ସମର୍ଥନ ପରେ ଆପ୍‌ ସାମିଲ ହେବା ସ୍ପଷ୍ଟ ହୋଇଥିଲା । ଏହାପରେ କେଜ୍ରିଓ୍ବାଲଙ୍କ ସ୍ବାଗତ ପୋଷ୍ଟର ମଧ୍ୟ ବେଙ୍ଗଲୁରୁ ରାଜରାସ୍ତାରେ ଦେଖିବାକୁ ମିଳିଲାଣି । ଆସନ୍ତାକାଲି ପ୍ରାୟ 24ଟି ବିରୋଧୀ ଦଳ ଦ୍ବିତୀୟ ବୈଠକରେ 2024 ସାଧାରଣ ନିର୍ବାଚନ ନେଇ ଏକାଠି ଲଢିବାର ଖସଡ଼ା ପ୍ରସ୍ତୁତ କରିବେ । ଏହି ବୈଠକର ନେତୃତ୍ବ କଂଗ୍ରେସ ନେଉଥିବା ବେଳେ ଦଳର ଜାତୀୟ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ ମଧ୍ୟ ଆଜି ବେଙ୍ଗାଲୁରୁରେ ପହଞ୍ଚି ବୈଠକ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

ଆସନ୍ତାକାଲି ବୈଠକରେ ନୂତନ ଭାବେ MDMK, KDMK, ମୁସଲିମ୍‌ ଲିଗ, RSP, BCK, ଅଲ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ, କେରଳ କଂଗ୍ରେସ (ଜୋସେଫ) କେରଳ କଂଗ୍ରେସ (ମଣି) ମଧ୍ୟ ସାମିଲ ହେବେ । ପାଟନାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ହୋଇଥିବା ଗତ ବୈଠକରେ କଂଗ୍ରେସ ପକ୍ଷରୁ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ ସାମିଲ ହୋଇଥିଲେ । କିନ୍ତୁ ଆସନ୍ତାକାଲିର ବେଙ୍ଗାଲୁରୁ ସମ୍ମିଳନୀରେ ପାର୍ଟିର ପୂର୍ବତନ ଅଧ୍ୟକ୍ଷା ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି । ଏହି ବୈଠକରେ କଂଗ୍ରେସ ସକ୍ରିୟ ଓ ଅଗ୍ରଣୀ ଭୂମିକାରେ ରହିବା ଏକ ପ୍ରକାର ସ୍ପଷ୍ଟ ସଙ୍କେତ ମିଳୁଛି ।

ଏହା ମଧ୍ୟ ପଢନ୍ତୁ:- Next Opposition meet in Bengaluru: ବିରୋଧୀ ନେତାଙ୍କୁ ନିମନ୍ତ୍ରଣ କଲେ ଖଡଗେ

ପାଟନା ବୈଠକରେ ସେପରି କିଛି ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରାଯାଇ ପାରିନଥିଲା । ଯାହାକୁ ନେଇ ବିଜେପି ଓ ଏନ୍‌ଡିଏ ସହଯୋଗୀ ଦଳମାନେ ବିରୋଧୀ ଏକତାକୁ କଟାକ୍ଷ କରିଥିଲେ । ହେଲେ 17 ଓ 18 ତାରିଖରେ ହେବାକୁ ଯାଉଥିବା ଏହି ଦୁଇ ଦିନିଆ ବୈଠକରେ ବିରୋଧୀ ମେଣ୍ଟ ନେଇ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବାର ଚର୍ଚ୍ଚା ହେଉଛି । ଆସନ୍ତାକାଲି (17 ତାରିଖ) ସଂଧ୍ୟାରେ ବେଙ୍ଗାଲୁରୁରେ ଏହି 2 ଦିନିଆ ସମ୍ମିଳନୀ ଆରମ୍ଭ ହେବ । ପରଦିନ 18 ତାରିଖ ପୂର୍ବାହ୍ନରୁ ସଂଧ୍ୟା ଯାଏ ଏହି ସମ୍ମିଳନୀ ଜାରି ରହିବ । ମିଳିତ ବିରୋଧୀଙ୍କ ନିଷ୍ପତ୍ତି କ’ଣ ରହିବ ସେ ନେଇ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details