ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କୁ ମାନହାନୀ ନୋଟିସ୍ ପଠାଇଲେ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ସିଂ । ସଞ୍ଜୟ ତାଙ୍କ ଓକିଲ ମଞ୍ଜିନ୍ଦର ସିଂ ବେଦୀଙ୍କ ଜରିଆରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରା ଓ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଅଧିକାରୀ ଯୋଗିନ୍ଦରଙ୍କୁ ଏହି ନୋଟିସ ପଠାଇଛନ୍ତି । ଚାର୍ଜସିଟରେ ତାଙ୍କ ନାମ ଉଲ୍ଲେଖ କରିବା ନେଇ ତଦନ୍ତକାରୀ ସଂସ୍ଥା 48 ଘଣ୍ଟା ମଧ୍ୟରେ କ୍ଷମା ପ୍ରାର୍ଥନା ନକଲେ ସେ କୋର୍ଟରେ ଦ୍ବାରସ୍ଥ ହେବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି ।
ସେ ଅବକାରୀ ପଲିସି ଦୁର୍ନୀତିରେ ସମ୍ପୃକ୍ତ ନାହାନ୍ତି । ତାଙ୍କ ବିରୋଧରେ କୌଣସି ପ୍ରମାଣ ମଧ୍ୟ ତଦନ୍ତକାରୀ ସଂସ୍ଥା ନିକଟରେ ନାହିଁ, ତଥାପି ତାଙ୍କୁ ବଦନାମ କରିବା ଓ ତାଙ୍କର ସମ୍ମାନହାନୀ କରିବା ପାଇଁ ଇଡି ତାଙ୍କ ନାମ ଚାର୍ଜସିଟରେ ଉଲ୍ଲେଖ କରିଥିବା ଅଭିଯୋଗ କରିଛନ୍ତି ସଞ୍ଜୟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଥିବା ଏକ ଚାର୍ଜସିଟରେ ତାଙ୍କ ନାମ ଉଲ୍ଲେଖ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସଂଞ୍ଜୟ କହିଛନ୍ତି, ତାଙ୍କ ନିର୍ଦ୍ଦେଶରେ ଅମିତ ଆରୋରା ନାମକ ଜଣେ ବ୍ୟକ୍ତିଙ୍କ ଦୋକାନକୁ ମନୀଷ ସିସୋଦିଆ ଟଙ୍କା ପଠାଇଥିବା ଚାର୍ଜସିଟରେ ଦର୍ଶାଯାଇଛି । ତେବେ ସେ ଏପରି କାହିଁକି କରିବେ ବୋଲି ପ୍ରଶ୍ନ କରିଛନ୍ତି ।
ସେହିପରି ସଞ୍ଜୟ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିଳ୍ପପତି ଗୌତମ ଆଦାନୀଙ୍କ ମଧ୍ୟରେ ସମ୍ପର୍କ ଥିବା ଏକାଧିକ ବାର ଖୁଲାସା କରିଛନ୍ତି । ସେହି କାରଣରୁ ତାଙ୍କୁ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଟାର୍ଗେଟ କରାଯାଉଛି । ପ୍ରତିଶୋଧ ନେବାକୁ ପ୍ରୟାସ କରାଯାଉଛି । ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଦାଖଲ କରାଯାଇଥିବା ଚାର୍ଜସିଟରେ ତାଙ୍କ ନାମ ଉଲ୍ଲେଖ କରିବା ମଧ୍ୟ ଷଡଯନ୍ତ୍ରର ଏକ ଅଂଶବିଶେଷ । ଏପରି କରି ତାଙ୍କ ସମ୍ମାନ ହାନୀ କରିବା ସହ ଭାବମୂର୍ତ୍ତିକୁ ଖରାପ କରିବାକୁ ପ୍ରୟାସ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।