ହାଇଦ୍ରାବାଦ: ଉପରାଜ୍ୟପାଳ ଓ ସରକାର ମଧ୍ୟରେ ବିବାଦ ପାଇଁ ଚର୍ଚ୍ଚାରେ ଥିବା ଦିଲ୍ଲୀ ରାଜନୀତିରେ ଆଉ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ହାତରେ ନୋଟ ବିଡା ଧରି ବିଧାନସଭାରେ ପହଞ୍ଚିଛନ୍ତି ଶାସକ ଆମ ଆଦମୀ ପାର୍ଟିର ଜଣେ ବିଧାୟକ । ତେବେ ବିଧାୟକ ଏପରି କରିବା ପଛରେ କାରଣ ମଧ୍ୟ ସେତିକି ରୋଚକ । ଆପ ବିଧାୟକ ମହିନ୍ଦର ଗୋଏଲ ହାତରେ ଏକ ଟଙ୍କା ବିଡା ଧରି ଗୃହରେ ପ୍ରବେଶ କରିଥିଲେ । ଏହି ଟଙ୍କା ତାଙ୍କୁ ଠିକାଦାରଙ୍କଠାରୁ ଲାଞ୍ଚ ଆକାରରେ ମିଳିଥିବା ନେଇ ମଧ୍ୟ ଗୃହରେ କହିଥିଲେ ।
ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବଶନ ଜାରି ରହିଥିବା ବେଳେ ହାତରେ ଏକ ଟଙ୍କା ବିଡା ଧରି ବିଧାନସଭାରେ ପ୍ରବେଶ କରିଥିଲେ ରିଠାଲା ବିଧାନସଭା ଆସନରୁ ଆପ ବିଧାୟକ ଥିବା ମହିନ୍ଦର ଗୋଏଲ । ବାଚସ୍ପତି ରାମନିବାସ ଗାଏଲଙ୍କ ନିକଟରେ ଏକ ସଙ୍ଗୀନ ଅଭିଯୋଗ ମଧ୍ୟ କରିଥିଲେ । ଦିଲ୍ଲୀ ହସ୍ପିଟାଲ କାମରେ ବ୍ୟାପକ ଦୁର୍ନୀତି ହେଉଛି । କାମର ଟେଣ୍ଡର ନେଇଥିବା ଠିକାଦାରମାନେ ଠିକାରେ କର୍ମଚାରୀ ନିଯୁକ୍ତ କରୁଛନ୍ତି । ବିଭିନ୍ନ ପଦବୀ ପାଇଁ ଠିକାସଂସ୍ଥା ଆଶାୟୀଙ୍କଠାରୁ ମୋଟା ଅଙ୍କରେ ଲାଞ୍ଚ ନେଇ ଅସ୍ଥାୟୀ ନିଯୁକ୍ତି ଦେଉଛନ୍ତି । ଏହି ଘଟଣାକୁ ନେଇ ସେ ପୋଲିସ ସମେତ ଉପରାଜ୍ୟପାଳଙ୍କୁ ମଧ୍ୟ ଅବଗତ କରିସାରିଛନ୍ତି । ହେଲେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ତେବେ ତାଙ୍କ ହାତରେ ଥିବା ଟଙ୍କା ବିଡା ମଧ୍ୟ ସମ୍ପୃକ୍ତ ଦୁର୍ନୀତିଖୋର ଠାକାଦାରମାନେ ତାଙ୍କୁ ଲାଞ୍ଚ ଆକାରରେ ଦେଇଥିବା ବିଧାୟକ ଗୋଏଲ ଗୃହରେ ଚିତ୍କାର କହିଥିଲେ ।