ଗାନ୍ଧୀନଗର:ବିଧାନସଭା ନିର୍ବାଚନ ପାଇଁ ଗୁଜୁରାଟରେ ନିର୍ବାଚନୀ ଉଷ୍ମତା ବଢିବାରେ ଲାଗିଲାଣି । ଏହାରି ମଧ୍ୟରେ ଗୁଜୁରାଟ ନିର୍ବାଚନରେ ଶାସକ ବିଜେପିକୁ କଡା ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି (AAP)। ବାରମ୍ବାର ଗୁଜୁରାଟ ଗସ୍ତ କରି ଦଳୀୟ କାର୍ଯ୍ୟକ୍ରମ କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଏବେ ପୁଣି ଥରେ ଗୁଜୁରାଟ ଗସ୍ତ କରିଛନ୍ତି । ଏଥିରେ ତାଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ରହିଛନ୍ତି । ଆଜି ଉଭୟ ନେତା ଦୁଇଟି ସ୍ଥାନରେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି (Kejriwal to address a public meeting in Gujarat ) ।
ଦୁଇ ନେତା ଗୁଜୁରାଟର ଆଦିବାସୀ ବହୁଳ ଜିଲ୍ଲା ଭାଲସାଦର ଧରାମପୁର ଏବଂ ସୁରଟ ଜିଲ୍ଲାର କାଦୋଦରା ଠାରେ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ । ଗତକାଲି (ଶନିବାର) AAP ମୁଖ୍ୟ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ ଦାହୋଡ ସହରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ପରେ ଦୋଦରାଠାରେ ଏକ 'ତିରଙ୍ଗା ଯାତ୍ରା' ରେ ମଧ୍ୟ ଉଭୟ ଅଂଶଗ୍ରହଣ କରିଥିଲେ । ତେବେ ଗୁଜୁରାଟରେ କେଜ୍ରିଓ୍ବାଲଙ୍କୁ ମଧ୍ୟ ବିରୋଧର ଶିକାର ହେବାକୁ ପଡିଥିଲା ।