ନୂଆଦିଲ୍ଲୀ: ଗତ କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ ରହିଛି । ଏମସିଡି ଷ୍ଟାଣ୍ଡିଂ କମିଟି ନିର୍ବାଚନକୁ ନେଇ ବିଜେପି ଓ ଆପ୍ ମଧ୍ୟରେ କଳହ ଲାଗି ରହିଛି । ନିର୍ବାଚନ ବେଳେ ଏମସିଡି ଗୃହରେ ବିଜେପି ଓ ଆପ ମଧ୍ୟରେ ମାରପିଟ ପରେ ଏବେ ପୋଷ୍ଟର ୱାର ଦେଖିବାକୁ ମିଳିଛି । ଏହି ଘଟଣାରେ ପ୍ରଥମେ ବିଜେପି ପକ୍ଷରୁ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟର ଜାରି କରାଯାଇଥିଲା । ପୋଷ୍ଟରରେ ବିଜେପି ଏମସିଡି ଗୃହରେ ଗଣ୍ଡଗୋଳ ପାଇଁ ଆପର ବିଧାୟିକା ଅତିଶୀ ମାର୍ଲେନାଙ୍କୁ ଦାୟୀ କରି 'ଖଳନାୟିକା' ଭାବେ ଦର୍ଶାଯାଇଥିଲା । ଏହି ପୋଷ୍ଟରର ଜବାବ ଦେଇ ଆମ ଆଦମୀ ପାର୍ଟି ମଧ୍ୟ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟର ଜାରି କରିଛି । ଯାହାର ଶୀର୍ଷକ ରହିଛି 'ବାଲେଟ ଚୋର ମଚାଏ ସୋର' ।
AAP-BJP Poster War: ପୋଷ୍ଟର ଜାରି କରି ବିଜେପି ଉପରେ ବର୍ଷିଲା ଆପ୍ - ଷ୍ଟାଣ୍ଡିଂ କମିଟି ନିର୍ବାଚନ ବେଳେ ବିବାଦ
ଷ୍ଟାଣ୍ଡିଂ କମିଟି ନିର୍ବାଚନ ବେଳେ ଦେଖାଦେଇଥିବା ବିବାଦ ନେଇ ବିଜେପି ଓ ଆପ୍ ମଧ୍ୟରେ ଆରମ୍ଭ ହୋଇଛି ପୋଷ୍ଟର ୱାର । ବିଜେପି ପରେ ଆମ ଆଦମୀ ପାର୍ଟି ମଧ୍ୟ ସୋସିଆଲ ମିଡ଼ିଆରେ ପୋଷ୍ଟର ଜାରି କରିଛି । ଅଧିକ ପଢ଼ନ୍ତୁ
ଆପ୍ ପକ୍ଷରୁ ଜାରି ହୋଇଥିବା ପୋଷ୍ଟରରେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ବିଜେପି ସାଂସଦ ମନୋଜ ତିୱାରୀ, ବିଜେପି ନେତା ହରିଶ ଖୁରାନା ଏବଂ କେତେକ ନେତା ରହିଛନ୍ତି । ପୋଷ୍ଟରରେ କୁହାଯାଇଛି ଯେ, 'ବିଜେପି ନେତାମାନେ ଯେଉଁଭଳି ଚିତ୍କାର କରୁଛନ୍ତି, ଏମାନେ ହିଁ ଲୋକତନ୍ତ୍ରର ହତ୍ୟାକାରୀ ଏବଂ ବାଲେଟ ଚୋର ଅଟନ୍ତି' । ସୂଚନା ଅନୁଯାୟୀ, ଷ୍ଟାଣ୍ଡିଂ କମିଟି ନିର୍ବାଚନ ବେଳେ ଏମସିଡି ସଭାଗୃହରେ ବିଜେପି ଓ ଆପ୍ ମଧ୍ୟରେ ହୋଇଥିବା ମାରପିଟରେ ବିଜେପିର ଜଣେ କାଉନସିଲର ଆହତ ହୋଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ବିବାଦ ଯୋଗୁଁ ଆପର ବିଧାୟିକା ଅତିଶୀ ମାର୍ଲେନାଙ୍କୁ ଦାୟୀ କରି ସୋସିଆଲ ମିଡ଼ିଆରେ ବିଜେପି 'ଖଳନାୟିକା' ଭାବେ ଦର୍ଶାଇଛି ।
ଅତିଶୀଙ୍କ ପାଇଁ ଏମସିଡି ଗୃହରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବିଜେପି ଅଭିଯୋଗ କରିଛି । ଏହି ପୋଷ୍ଟରରେ ବିଧାୟିକା ଅତିଶୀଙ୍କ ସମେତ ରାଜେନ୍ଦ୍ର ନଗରର ବିଧାୟକ ଦୁର୍ଗେଶ ପାଠ ଏବଂ ନବନିର୍ବାଚିତ ମେୟର ଶେଲୀ ଓବରୟଙ୍କ ଫଟୋ ଲାଗିଛି । ଯାହାର ଉପର ଭାଗରେ ଲେଖାଯାଇଛି, ଆପ୍ ଫିଲ୍ମ ପ୍ରେଜେଣ୍ଟ୍ସ ୨୦୨୩ର ସବୁଠୁ ଚକିତ ଭଳି ନାଟକ 'ଖଳନାୟିକା' । ଏଥିରେ ଅତିଶୀଙ୍କୁ ଖଳନାୟିକା ଭାବେ ବିଜେପି ଦର୍ଶାଇଛି । ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛି ବିଜେପି । ଏମସିଡି ଗୃହରେ ଘଟିଥିବା ନାଟକର ପ୍ରଯୋଜକ ଆପ୍ ଓ ନିର୍ଦ୍ଦେଶକ ଅରବିନ୍ଦ କେଜ୍ରିୱାଲ ଭାବେ ଚିତ୍ରଣ କରାଯାଇଛି ।