ନୂଆଦିଲ୍ଲୀ: ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (AAI) ଦ୍ବାରା ଆଜି ରାଜସ୍ଥାନର କିଷନଗଡ ବିମାନଘାଟୀରେ ‘ଗଗନ’ ଭିତ୍ତିକ ଏଲପିଭି ବ୍ୟବସ୍ଥାରେ ପରୀକ୍ଷାମୂଳକ ବିମାନ ଉଡାଣ ସଫଳତାର ସହ କରାଯାଇଛି । ‘ଗଗନ’ ଜିପିଏସ ସହାୟତାରେ ପରିଚାଳିତ ଏକ ଜିଓ ଅଗମେଣ୍ଟେଡ ନାଭିଗେସନ (ଉଡାଣ) ବ୍ୟବସ୍ଥା । ଏଥିରେ ଭୂମିଠାରୁ ବିମାନର ଉଡାଣ ଉଚ୍ଚତା ଅବତରଣ ଓ ଅନ୍ୟାନ୍ୟ ବିଷୟ ନିର୍ଦ୍ଧାରିତ ହୋଇଥାଏ । ସଂକ୍ଷେପରେ ଏହା ଏଲପିଭି ଆପ୍ରୋଚ ପ୍ରସିଡିଓର ଭାବେ ପରିଚିତ । ଏଥିରେ ଆଜି ହାଲକା ବିମାନର ପରୀକ୍ଷାମୂଳକ ଉଡାଣ କରାଯାଇଥିଲା ।
ବାୟୁ ପରିବହନ ସେବା (ଏଏନଏସ) କ୍ଷେତ୍ରରେ ଭାରତ ପାଇଁ ଏହା ଏକ ବିରାଟ ସଫଳତା । ବେସାମରିକ ବିମାନ ଉଡାଣ ଇତିହାସରେ ଏହା ଏକ ମାଇଲଖୁଣ୍ଟ । ଏଭଳି ସଫଳତା ହାସଲ କରିବାରେ ଭାରତ ଏସିଆ ଓ ପ୍ରଶାନ୍ତ ମହାସାଗର ଅଞ୍ଚଳର ପ୍ରଥମ ଦେଶ । ଏଲପିଭି (ଲୋକାଲାଇଜର ପରଫରମାନ୍ସ ଉଇଥ ଭର୍ଟିକାଲ ଗାଇଡାନ୍ସ)ର ବିଶେଷତ୍ବ ହେଲା ଏହା ବିମାନକୁ ଉତଥାନ, ଉଡାଣ ଓ ଅବତରଣ କାଳରେ ଆବଶ୍ୟକ ନିରାପଦ ଦିଗଦର୍ଶନ ଦେଇଥାଏ । ଏହି ବ୍ୟବସ୍ଥାଟି ‘କ୍ୟାଟ-ଇଲ୍ସ’ସହିତ ସମକକ୍ଷ । ଏଥିରେ ବିମାନ ଉଡାଣ ପାଇଁ ସ୍ଥଳଭିତ୍ତିକ ଉନ୍ନୟନ ଭିତ୍ତିଭୂମିର ଆବଶ୍ୟକତା ବିଶେଷ ନାହିଁ । ଏଥିପାଇଁ ଜିପିଏସ ଓ ଗଗନ ଜିଓଷ୍ଟେସନାରୀ ସାଟେଲାଇଟ ସେବା ଯୋଗାଉଛି । ଇସ୍ରୋ ପକ୍ଷରୁ ମହାକାଶକୁ ପ୍ରେରଣ କରାଯାଇଥିବା ଜିସାଟ-୮, ଜିସାଟ-୧୦ ଓ ଜିସାଟ-୧୫ ଉପଗ୍ରହମାନ ଏହି ଉଡାଣ ପାଇଁ ସେବା ଯୋଗାଣରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି ।
ଗଗନ ଏକ ଭାରତୀୟ ଉପଗ୍ରହଭିତ୍ତିକ ପ୍ରବର୍ଦ୍ଧନ (ଅଗମେଣ୍ଟେସନ) ବ୍ୟବସ୍ଥା । ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦ୍ବାରା ଏହା ମିଳିତ ଭାବେ ବିକାଶିତ ହୋଇଛି । ବିଷୁବ ମଣ୍ଡଳୀୟ ଅଞ୍ଚଳରେ ଭାରତ ଏବଂ ଏହାର ପଡୋଶୀ ରାଷ୍ଟ୍ରଙ୍କ ନିମନ୍ତେ ପ୍ରଥମ କରି ଏହି ବ୍ୟବସ୍ଥା ତିଆରି କରାଯାଇଛି । ଭର୍ଟିକାଲ ଗାଇଡାନ୍ସ ଏବଂ ଏନରୁଟ ଅପରେସନ ପାଇଁ ଗଗନ ସିଷ୍ଟମକୁ ଡିଜିସିଏ ୨୦୧୫ ରେ ପ୍ରମାଣପତ୍ର ପ୍ରଦାନ କରିଥିଲା । ବିଶ୍ବରେ ମାତ୍ର ଚାରିଟି ମହାକାଶଭିତ୍ତିକ ଅଗେମେଣ୍ଟସନ ସିଷ୍ଟମ ଉପଲବ୍ଧ ରହିଛି । ସେଗୁଡିକ ହେଲା- ଭାରତର ଗଗନ, ଆମେରିକା ୱାସ, ୟୁରୋପର ଇଗନସ ଓ ଜାପାନର ଏମସାସ । ଗଗନ ବ୍ୟବସ୍ଥାଟି ବିଷୁବମଣ୍ଡଳୀୟ ଅଞ୍ଚଳରେ ଥିବା ଭାରତ ଓ ଏହାର ପଡୋଶୀ ରାଷ୍ଟ୍ରଙ୍କ ପାଇଁ ଉଦ୍ଦିଷ୍ଟ ।
ଆଜି ଇଣ୍ଡିଗୋ ଏୟାର ଲାଇନ୍ସର ଏକ ଏଟିଆର ବିମାନ ‘ଗଗନ’ ସେବା ବ୍ୟବହାର କରି ଆଇଏପି ଓ ଏଲପିଭି ବ୍ୟବସ୍ଥାରେ ୨୫୦ ଫୁଟ ଉପରେ ଉଡିଥିଲା । କିଷନଗଡ ବିମାନ ବନ୍ଦରରେ ଏହି ପରୀକ୍ଷାମୂଳକ ଉଡାଣ ସମୟରେ ବିମାନରେ ଡିଜିସିଏ ଟିମର ସଦସ୍ୟମାନେ ଥିଲେ । ଗଗନ ଏଲପିଭି ଫ୍ଲାଇଟ ଟ୍ରାଏଲ ଶୃଙ୍ଖଳାର ଏହା ପ୍ରଥମ ପରୀକ୍ଷା । ଆଜିର ପରୀକ୍ଷାମୂଳକ ଉଡାଣରେ ଯେଉଁ ପଦ୍ଧତି ବ୍ୟବହାର କରାଗଲା ଡିଜିସିଏର ଚୂଡାନ୍ତ ଅନୁମୋଦନ ଥିଲା।