ସୁରଟ:100 ଟଙ୍କା ପାଇଁ ଓଡିଆ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ପାଣ୍ଡସରା ଥାନା ଅନ୍ତର୍ଗତ ସିଦ୍ଧାର୍ଥନଗର ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ସିଦ୍ଧାର୍ଥ ନଗର ସ୍ଥିତ ବସ୍ତିରେ ରହୁଥିବା ମୁନ୍ନା ପ୍ରକାଶ ହୋଇଥିବା ଜଣା ପଡିଛି । ସେପଟେ ଅଭିଯୁକ୍ତ ଭିଖା ପାଞ୍ଚୁ ସୱାଇକୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ, ପ୍ରକାଶ ଓଡିଶାରୁ ଯାଇ ସୁରଟରେ ପ୍ରବାସୀ ଭାବେ ରହି କାମ କରି ଆସୁଥିଲେ । ତେବେ ଉଭୟ ପ୍ରକାଶ ଏବଂ ଭିଖା ଗୋଟିଏ ଜାଗାରେ କାମ କରି ଜୀବିକା ନିର୍ବାହ କରୁଥିଲେ । ଏପରିକି ଦୁହେଁ ରୁମ୍ ପାର୍ଟନର ମଧ୍ୟ ଥିଲେ । ତେବେ କୌଣସି ଏକ କାରଣରୁ ପ୍ରକାଶ ଭିଖାକୁ 100 ଟଙ୍କା ଉଧାର ସୂତ୍ରରେ ମାଗିଥିଲେ । ଅଭିଯୁକ୍ତ ଜଣକ ପ୍ରକାଶଙ୍କୁ 100ଟଙ୍କା ଉଧାର ସୂତ୍ରରେ ମଧ୍ୟ ଦେଇଥିଲା । ହେଲେ ଯୁବକ ଜଣକ ଉଧାର ଆଣିଥିବା ଟଙ୍କା ଫେରାଇବାରେ ଅସମର୍ଥ ଥିଲେ ।
ବାରମ୍ବାର ଟଙ୍କା ଫେରାଇବାକୁ ଚାପ ପକାଉଥିଲା ଅଭିଯୁକ୍ତ ଭିଖା ପାଞ୍ଚୁ ସୱାଇ । ଏପରିକି ଟଙ୍କା ଫେରି ନପାଇଲେ ହତ୍ୟା କରିବାର ଧମକ ମଧ୍ୟ ଦେଇଥିଲା । ହେଲେ ପ୍ରକାଶ ଟଙ୍କା ନ ଫେରାଇ ପାରିବାରୁ ସେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ଶନିବାର ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଜଣକ ଫେରାର ଥିବା ଜଣା ପଡିଥିଲା । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସେହି ସମୟରେ ଭିଖା ରୁମରୁ ଗାୟବ ଥିବା ଜାଣିବାକୁ ପାଇଥିଲା ପୋଲିସ । ଯାହାକୁ ନେଇ ପୋଲିସ ମନରେ ସନ୍ଦେହ ଉପୁଜିଥିଲା । ଫଳରେ ଅଭିଯୁକ୍ତକୁ କାବୁ କରିବାକୁ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା ।
ଏନେଇ ପୋଲିସ ଭିଖାକୁ ପଚରାଉଚରା କରିବାରୁ ସମସ୍ତ ତଥ୍ୟ ଜାଣିବାକୁ ପାଇଛି । ପୋଲିସ ଆଗରେ ହତ୍ୟାକାଣ୍ଡ କଥା ସ୍ୱୀକାର କରିଛି ଅଭିଯୁକ୍ତ । ଟଙ୍କା ଫେରସ୍ତ ମାଗିବାରୁ ପ୍ରଥମେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । କଥା କଟାକଟି ପରେ ରାତିରେ ଘର ବାହାରେ ଶୋଇ ପଡିଥିଲା ଅଭିଯୁକ୍ତ ଭିଖା । ଭୋର ସମୟରେ ପ୍ରକାଶର ହତ୍ୟା କରି ଫେରାର ହୋଇଯାଇଥିଲା ।
ଅଭିଯୁକ୍ତର କହିବା ଅନୁସାରେ ଟଙ୍କା ଫେରସ୍ତ ନହେବାରୁ ପୂର୍ବରୁ ସେ ପ୍ରକାଶକୁ ଅନେକ ଧମକ ଚମକ ମଧ୍ୟ ଦେଇ ଆସୁଥିଲା । ହେଲେ ଏତେ ସବୁ ପରେ ବି ଟଙ୍କା ଫେରି ନପାଇବାରୁ ରାଗରେ ପ୍ରକାଶକୁ ହତ୍ୟା କରିଥିବା ସେ ସ୍ୱୀକାର କରିଛି । ତେବେ ପ୍ରକାଶ ଓଡିଶାର ହୋଇଥିବା ଜଣାପଡିଥିବାବେଳେ ତାଙ୍କ ପରିବାର ସମ୍ପର୍କରେ କୌଣସି ତଥ୍ୟ ଏଯାଏଁ ମିଳିପାରିନାହିଁ ।