ଓଡିଶା

odisha

ETV Bharat / bharat

ଅକ୍ଷମ କୁକୁରକୁ ପୋଷ୍ୟ ରୂପେ ଗ୍ରହଣ କରି ଚର୍ଚ୍ଚାରେ ଗାୟତ୍ରୀ - ତାମିଲନାଡୁ ଅଧିବାସୀ ଗାୟତ୍ରୀ

ଆଧୁନିକ ଯୁଗର ବଶବର୍ତ୍ତୀ ହୋଇ ଯୁବପିଢି ନିଜ ଜୀବନର କର୍ତ୍ତବ୍ୟ ଭୁଲି ଯାଉଥିବା ବେଳେ ଏକ ପଶୁକୁ ନିଜ ଜୀବନର ଅଂଶ ଭାବେ ଗ୍ରହଣ କରି ଚର୍ଚ୍ଚାରେ ତାମିଲନାଡୁ ଅଧିବାସୀ ଗାୟତ୍ରୀ । ଅଧିକ ପଢନ୍ତୁ...

A young woman who showed a happy life to a two-legged Dog
ଦୁଇ ଗୋଡ଼ିଆ କୁକୁରକୁ ଉତ୍ତମ ଜୀବନ ଦେଇ ଚର୍ଚ୍ଚାରେ ଗାୟତ୍ରୀ

By

Published : Nov 29, 2020, 7:03 PM IST

Updated : Nov 29, 2020, 10:08 PM IST

ଚେନ୍ନାଇ:ସମ୍ପ୍ରତି ସମୟରେ ଜୀବନ ଜୀବିକା ଦ୍ରୁତ ବେଗରେ ଗତି କରୁଛି । ସମୟର ଅଗ୍ରଗତି ସହିତ ଯୁବପିଢିମାନଙ୍କର ଚାଲିଚଳନିରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଘଟୁଛି । ଯୁବପିଢିମାନେ ସ୍ବାବଲମ୍ବୀ ହେବା ପରେ ନିଜ କର୍ତ୍ତବ୍ୟ ଭୁଲି ଯାଉଛନ୍ତି । ନିଜର ପିତାମାତା ଓ ଗୁରୁଜନଙ୍କୁ ଅଲୋଡା ଭାବି ନିଜ ଜୀବନରୁ ଫିଙ୍ଗି ଦେଉଥିବା ବେଳେ ଏକ ପଶୁ ପଛରେ ନିଜର ବହୁମୂଲ୍ୟ ସମୟ ସହିତ ଅର୍ଥ ଖର୍ଚ୍ଚ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ତାମିଲନାଡୁ କଏମ୍ବାଟୁରର ଅଧିବାସୀ ଗାୟତ୍ରୀ । ଦ୍ବିଗୋଡ ବିଶିଷ୍ଟ ଏକ କୁକୁରକୁ ନିଜ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ତାକୁ ଉତ୍ତମ ଜୀବନ ଦେଇ ଗାୟତ୍ରୀ ଲୋକମାନଙ୍କର ପ୍ରଶଂସାକୁ ସାଉଣ୍ଟିଛନ୍ତି ।

ଦୁଇ ଗୋଡ଼ିଆ କୁକୁରକୁ ଉତ୍ତମ ଜୀବନ ଦେଇ ଚର୍ଚ୍ଚାରେ ଗାୟତ୍ରୀ

ତାମିଲନାଡୁ କଏମ୍ବାଟୁରର ଏକ ଆଇଟି କମ୍ପାନୀରେ କାମ କରନ୍ତି ଗାୟତ୍ରୀ । ନିଜ କାମ ସହିତ ସେ କୁକୁରକୁ ପାଳିବାର ସୌକ ମଧ୍ୟ ରଖନ୍ତି । କିନ୍ତୁ କାମରୁ ତାଙ୍କୁ ଖାଲି ସମୟ ମିଳିପାରୁନଥିବାରୁ ନିଜର ଏହି ଇଚ୍ଛାଟି ତାଙ୍କର ଆଶାରେ ରହିଯାଇଥିଲା । ତେବେ କୋରୋନା ମହାମାରୀ ସମୟରେ ୱାର୍କ ଫ୍ରମ ହୋମ ତାଙ୍କ ଆଶାକୁ ବାସ୍ତବିକ ରୂପ ଦେବା ପାଇଁ ସୁଯୋଗ ସୃଷ୍ଟି କରିଥିଲା । ନିଜର ଏହି ଆଶାକୁ ପୂରଣ କରିବା ପାଇଁ ସେ ବାହାରିଥିଲେ ସ୍ଥାନୀୟ ସିରାନାୟାକାନପାଲାୟାମ ଅଞ୍ଚଳକୁ ଏବଂ ସେହି ବେଶରକାରୀ ସଂସ୍ଥାରୁ ଏକ ପୋମେରାନିଆନ ପ୍ରଜାତିର କୁକୁର 'ଭୀରା'କୁ ଉଦ୍ଧାର କରିଥିଲେ ।

ଭୀରାକୁ ଭେଟିବା ମାତ୍ରେ ହିଁ ଗାୟତ୍ରୀଙ୍କ ମନରେ ଭୀରା ପାଇଁ ଏକ ସ୍ନେହ ଜାତ ହୋଇଥିଲା । ଏହି ଦ୍ବିଗୋଡ ବିଶିଷ୍ଟ ଅସହାୟ କୁକୁରକୁ ନିଜ ଘରକୁ ପାଛୋଟି ଆଣିଥିଲେ ଗାୟତ୍ରୀ । ଘରକୁ ଆଣିବା ପରେ ଭୀରାର କଷ୍ଟକୁ ସେ ଅନୁଭବ କରିଥିଲେ । 4ଟା ପରିବର୍ତ୍ତେ 2ଟି ଗୋଡ ଥିବାରୁ ଭୀରାକୁ ଚାଲିବାରେ କଷ୍ଟ ହେଉଥିଲା । ଭୀରାକୁ ଉଦ୍ଧାର କରିବା ସମୟରେ ହିଁ ତାକୁ ଏକ ଉତ୍ତମ ଜୀବନ ଦେବା ପାଇଁ ସେ ମନେ ମନେ ସ୍ଥିର କରିଥିଲେ ଏବଂ ତାର କଷ୍ଟକୁ ସ୍ବଚକ୍ଷୁରେ ଦେଖିବା ପରେ ତାର କଷ୍ଟକୁ ହୃଦୟଙ୍ଗମ କରି ସେ ଅପ୍ରାକୃତିକ ଗୋଡ ଲଗାଇଥିଲେ ।

ଏହାପରେ ଗାୟତ୍ରୀ ତାଙ୍କ ପିତାଙ୍କ ସହ ମିଶି ଭୀରା ପାଇଁ ଏକ ଚକା ଥିବା ଗାଡିକୁ ତିଆରି କରିଥିଲେ । ଏହି ଚକା ଥିବା ଗାଡିରେ କୁକୁରର ବସିବା ପାଇଁ ବ୍ୟବସ୍ଥା କରାଯିବା ସହିତ ଏହା ସାହାଯ୍ୟରେ ଭୀରା ଚାଲି ମଧ୍ୟ ପାରୁଥିଲା । ଏହି ସଂପର୍କରେ ଗାୟତ୍ରୀଙ୍କ ବାପା କାଶି କୁହନ୍ତି, "ଭୀରାକୁ ଦେଖିବା ମାତ୍ରେ ଝିଅ ମନରେ ଭୀରା ପ୍ରତି ସହାନୁଭୂତି ଜାଗ୍ରତ ହୋଇଥିଲା ଏବଂ ତାର ଦ୍ବିଗୋଡ ନଥିବା ଜାଣିବା ପରେ ତା ପାଇଁ କିଛି କରିବାକୁ ଆମେ ମନ ବଳାଇଥିଲୁ ।"

ଗୋଡ ନଥିବାରୁ ଭୀରା ଚାଲିବାରେ ବହୁତ କଷ୍ଟ ଅନୁଭବ କରୁଥିଲା । ଗୋଟିଏ ସ୍ଥାନରେ ବସି ରହୁଥିବାରୁ ଭୀରା ଅତ୍ୟନ୍ତ ଦୁଃଖିତ ଥିଲା । ତେବେ ଚକା ବିଶିଷ୍ଟ ଗାଡି ଭୀରା ଶରୀରରେ ଲଗାଯିବା ଫଳରେ ଏହା ସାହାଯ୍ୟରେ ଭୀରା ଚାଲି ପାରିଲା । ଗାୟତ୍ରୀଙ୍କ ପରିବାର ଲୋକ ସମସ୍ତେ ଭୀରାକୁ ନିଜ ଘରର ସଦସ୍ୟ ଭଳି ସ୍ନେହ କରୁଥିବା ବେଳେ ତାର ଯତ୍ନ ନେଇଥାନ୍ତି ବୋଲି ଗାୟତ୍ରୀଙ୍କ ବାପା କହିଥାନ୍ତି ।

ପଇସା ପାଇଁ ବର୍ତ୍ତମାନ ସମୟରେ ଅନେକ ସଂପର୍କ ଭାଙ୍ଗି ଯାଉଥିବା ବେଳେ ଗୋଟେ ପଶୁକୁ ସାହାଯ୍ୟ କରିବା ସହିତ ପରିବାରର ଏକ ସଦସ୍ୟ ଭାବେ ଗ୍ରହଣ କରି ଗାୟତ୍ରୀଙ୍କ ପରିବାର ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତାମିଲନାଡୁର ଏହି ଘଟଣାଟି ମେସିନ ପରି ଜୀବନଯାପନ କରୁଥିବା ଲୋକଙ୍କ ମନରେ ଏକ ସହାନୁଭୂତି ମନୋଭାବ ତଥା ଏକ ସରଳ ହୃଦୟକୁ ଜାଗ୍ରତ କରିବାର ସୁଯୋଗ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 29, 2020, 10:08 PM IST

ABOUT THE AUTHOR

...view details