ଗାନ୍ଧୀନଗର:ଗୁଜୁରାଟରେ ଓଡିଶାର ବଲାଙ୍ଗୀରର ପାଟଣାଗଡ ଘଟଣାର ପୁନରାବୃତ୍ତି ଘଟିଛି । ବାହାଘର ବେଳେ ମିଳିଥିବା ଉପହାର ଏବେ ପୁରା ପରିବାର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବାହାଘରରେ ମିଳିଥିବା ଉପହାର ପ୍ୟାକେଟ ଖୋଲିବା ପରେ ଏହା ଭୟଙ୍କର ବିସ୍ଫୋରଣ ଘଟାଇଥିଲା । ବିବାହ ଉତ୍ସବରେ ଉଛୁଳି ପଡୁଥିବା ଘରେ କିଛି କ୍ଷଣରେ ଶୋକର ମାହୋଲ ଖେଳି ଯାଇଛି ।
ଏଥିରେ ଯୁବକ ଏବଂ ତାଙ୍କ ଭଣଜା ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରର ଅବସ୍ଥା ସଙ୍କଟାପନ୍ନ ରହିଛି। ଏଭଳି ଆଶ୍ଚର୍ଯ୍ୟ ଚକିତ ଘଟଣା ଦେଖିବାକୁ ମିଳିଛି ନଓ୍ଵାସରି ଜିଲ୍ଲାର ଓ୍ଵଂଶଦାସ୍ଥିତ ମୀଠାମ୍ବରୀ ଗ୍ରାମରେ । ଗତ ୧୨ ତାରିଖରେ ଏଠାରେ ଏକ ବିବାହ ହୋଇଥିଲା । ବିବାହ ସମାରୋହରେ ଆସିଥିବା ଅତିଥି ନବ ବିବାହିତ ଯୋଡିଙ୍କୁ ଉପହାର ଦେଇଥିଲେ ।
ମଙ୍ଗଳବାର ଯୁବକ ଲତେଶ ନିଜ ଭଣଜା ସହ ଉପହାର ପ୍ୟାକେଟ୍ ଖୋଲି ଦେଖୁଥିଲେ । ବାହାଘରରେ ମିଳିଥିବା ଉପହାର ଖୋଲିବା ପରେ ଏକ ଟେଡି ବୟର ଦେଖିଥିଲେ । କୌତୁହଳ ସହକାରେ ଲତେଶ ଏହି ଟେଡି ବିୟରକୁ ପ୍ୟାକେଟରୁ ଖୋଲିବାବେଳେ ଏହା ଭୟଙ୍କର ବିସ୍ଫୋରଣ ଘଟାଇଥିଲା । ଲତେଶ ଏବଂ ତାଙ୍କ ୩ ବର୍ଷୀୟ ଭଣଜା ଗୁରୁତର ଭାବେ ଆହତ ହୋଇଛନ୍ତି । ତୁରନ୍ତ ଉଭୟଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ପରେ କନ୍ୟା ପିତା କହିଛନ୍ତି, "ମେ ୧୨ରେ ତାଙ୍କ ଝିଅଙ୍କ ବିବାହ ଲତେଶ ସହ ହୋଇଥିଲା । ମୋ ବଡ ଝିଅର ପୂର୍ବତନ ପ୍ରେମିକ ରାଜୁ ଧସନୁଖ ପଟେଲ କାହା ଜରିଆରେ ଟେଡି ବିୟର ପରି ଇଲେକ୍ଟ୍ରୋନିକ ଗିଫ୍ଟ ପଠାଇଥିଲା।" ପୁରା ମାମଲାରେ ରାଜୁ ଧସନୁଖ ପଟେଲ ସନ୍ଦେହ ଘେରରେ ଅଛନ୍ତି । ପୋଲିସ ମାମଲାରେ ଏଫଆଇଆର ରୁଜୁ କରି ଖୋଳତାଡ ଆରମ୍ଭ କରିଛି । ପ୍ରତିଶୋଧ ନେବା ପାଇଁ ରାଜୁ ଏହିପରି କାଣ୍ଡ ଭିଆଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟଭି ଭାରତ