କୋଲକାତା:୨୦୧୮ ଫେବୃୟାରୀରେ ପଶ୍ଚିମବଙ୍ଗ ସ୍ଥିତ ଧୂପଝୋରା ଜାତୀୟ ଉଦ୍ୟାନରେ କାଞ୍ଚି ନାମକ ଗୋଟିଏ ଏକ ସିଙ୍ଗିଆ ମାଇ ଗଣ୍ଡାର ମୃତ୍ୟୁ ହୋଇଥିଲା । କାଞ୍ଚି ମୃତ୍ୟୁ ପଛର କାରଣ ଦୁଷ୍କର୍ମ ଥିଲା । ଅଢେଇ ବର୍ଷର ଏହି ମାଇ ଗଣ୍ଡା ସହ ଜୋର ଜବରଦସ୍ତ ଏକ ପୁରୁଷ ଗଣ୍ଡା ଯୌନ ସମ୍ପର୍କ ସ୍ଥାପନ କରିବା କାରଣରୁ ତା'ର ଜୀବନ ଚାଲି ଯାଇଥିଲା । ତେବେ କେବଳ କାଞ୍ଚି ଏକମାତ୍ର ଗଣ୍ଡା ନଥିଲା ଯାହା ସହ ଏଭଳି ଘଟିଛି, ଗଣ୍ଡା ଜଗତରେ ଏମିତି ଅନେକ ମାଇ ଗଣ୍ଡା ଦୁଷ୍କର୍ମର ଶିକାର ହୋଇ ଅକାଳରେ ଆଖି ବୁଝିଛନ୍ତି । ତେବେ ଏଥିପାଇଁ ଲିଙ୍ଗଗତା ଅସନ୍ତୁଳନ ହିଁ ପ୍ରମୁଖ କାରଣ ଭାବେ ଉଭା ହୋଇଛି ।
ଗଣ୍ଡା ଦୁନିଆରେ ଏହି ପ୍ରକାର ହିଂସା ପଶ୍ଚିମବଙ୍ଗ ସ୍ଥିତ ଧୂପଝୋରା ଜାତୀୟ ଉଦ୍ୟାନରେ ଗଣ୍ଡା ବଂଶ ଉପରେ କୁପ୍ରଭାବ ପକାଉଛି । ୨୦୧୭ ନଭେମ୍ବର ୮ରେ ଧୁପଜୋରାର ୧B ପ୍ରକୋଷ୍ଠରେ ଗୋଟିଏ ମାଇ ଗଣ୍ଡା ପାଇଁ ଦୁଇ ଅଣ୍ଡିଆ ଗଣ୍ଡାଙ୍କ ମଧ୍ୟରେ ଭୀଷଣ ଲଢେଇ ହୋଇଥିଲା, ଏଥିରେ ଗୋଟିଏ କମ୍ ବୟସ୍କ ଗଣ୍ଡାର ମୃତ୍ୟୁ ହୋଇଯାଇଥିଲା । ମୃତ ଗଣ୍ଡା ଡନ ନାମକ ଅନ୍ୟ ଏକ ଗଣ୍ଡାକୁ ନିଜ ମାଆ ପାଖକୁ ଯିବାରୁ ଅଟକାଇଥିଲା । ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ଓ ତା'ର ଜୀବନ ଚାଲିଯାଇଥିଲା । ତେବେ ଏଭଳି ସମସ୍ୟା କେବଳ ଧୂପଝୋଡା ଜାତୀୟ ଉଦ୍ୟାନର ନୁହେଁ, ଅନ୍ୟ ଉଦ୍ୟାନ ଗୁଡିକରେ ମଧ୍ୟ ଦେଖାଯାଉଛି ।
ବନ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ, ଗଣ୍ଡା ଗଣ୍ଡା ମଧ୍ୟରେ ଜୋର ଜବରଦସ୍ତ ମିଳନକୁ ନେଇ ଏହି ପ୍ରକାର ହିଂସା ଅନ୍ୟାନ୍ୟ ଜାତୀୟ ଉଦ୍ୟାନଗୁଡିକରେ ବହୁଳ ମାତ୍ରାରେ ପ୍ରକାଶ ପାଉଛି । ୨୦୧୫ ଡିସେମ୍ବର ୨୧ରେ ଜଲଦାପାରା ରାଷ୍ଟ୍ରୀୟ ଉଦ୍ୟାନର ପଶ୍ଚିମ ରେଞ୍ଜରେ ଏକ ମାଈ ଗଣ୍ଡା ସହ ମିଳନ ପାଇଁ ଦୁଇଟି ବୟସ୍କ ଅଣ୍ଡିରା ଗଣ୍ଡା ପରସ୍ପର ମଧ୍ୟରେ ଲଢେଇ କରିଥିଲେ । ଏଥିରେ ଗୋଟିଏ ଗଣ୍ଡାର ମୃତ୍ୟୁ ହୋଇଯାଇଥିଲା । ଗଣ୍ଡା ପ୍ରଜାତି ମଧ୍ୟରେ ଆଞ୍ଚିଳିକ ବିବାଦ ଏବଂ ଯୌନ ସମ୍ପର୍କକୁ କେନ୍ଦ୍ରକରି ଅନେକ ସମୟରେ ଏଭଳି ସଂଘର୍ଷ ସୃଷ୍ଟି ହେଉଥିବାର ଲକ୍ଷ୍ୟ କରାଯାଉଛି ।