ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗସ୍ତରେ ଥିବାବେଳେ ଆଜି ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଆଜି ପ୍ରଧାନମନ୍ତ୍ରୀ 20 ମିନିଟ ଧରି ଏକ ଫ୍ଲାଏଓଭରରେ ଛିଡା ହୋଇ ରହିବା ପରେ ଏବେ ଦେଶବ୍ୟାପୀ ଚର୍ଚ୍ଚା ଲାଗି ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କିତ ପ୍ରୋଟୋକଲରେ ଖିଲାପ ଓ ଏପରି ବିଭ୍ରାଟ ଦେଶର ପ୍ରଥମ ନୁହେଁ। ନଜର ପକାନ୍ତୁ କେବେ ଘଟିଛି ଏପରି ସୁରକ୍ଷାରେ ଅବହେଳା ।
ଫେବୃଆରୀ 2019:ପଶ୍ଚିମବଙ୍ଗର ସହରଠାରୁ ପ୍ରାୟ 100 କିଲୋମିଟର ଦୂର ଉତ୍ତର 24 ପ୍ରଗଣାରେ ଅଶୋକ ନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଏପରି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ତେବେ ଏପରି ବ୍ୟତିକ୍ରମ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କୁ ନିଜ ଅଭିଭାଷଣକୁ 20 ମିନିଟ୍ ପର୍ଯ୍ୟନ୍ତ ହ୍ରାସ କରିବାକୁ ପଡିଥିଲା । ସେଠାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଉତ୍ତର 24 ପ୍ରଗଣା ଏବଂ ରାଜ୍ୟର ପଡୋଶୀ ନଦିଆ ଜିଲ୍ଲାର ଏକ ହିନ୍ଦୁ ଶରଣାର୍ଥୀ ସମ୍ପ୍ରଦାୟ ବ୍ୟାରିକେଡ୍ ଭାଙ୍ଗି ମଞ୍ଚ ଆଡକୁ ମୁହାଁଇଥିଲେ। ଫଳରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମଧ୍ୟ ବିଳମ୍ବ ହୋଇଥିଲା ।
ମେ’ 2018:ସେହିପରିବିଶ୍ୱ-ଭାରତୀ ସମାରୋହର ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିବାବେଳେ ସେଠାରେ ମଧ୍ୟ ସୁରକ୍ଷାରେ ଏକ ବଡ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସକ ବୋଲି ଦାବି କରୁଥିବା ଜଣେ ବ୍ୟକ୍ତି SPGର ସୁରକ୍ଷା ବଳୟ ଭେଦ କରି କରି ପ୍ରଧାନମନ୍ତ୍ରୀଙ୍କ ଆଡକୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ କାବୁ କାରାଯାଇଥିଲା ।
ଡିସେମ୍ବର 2017: ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ କାର୍କେଡକୁ ଭୁଲ ମା଼ର୍ଗର ନେଇଥିଲେ ସୁରକ୍ଷାକର୍ମୀ। ଏହି ଅବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ଅଧିକାରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ ଏବଂ କାର୍ଯ୍ୟାନୁଷ୍ଠାନର ବିସ୍ତୃତ ରିପୋର୍ଟ ମାଗିଥିଲେ । ଏହି ଅବ୍ୟବସ୍ଥା ପାଇଁ ଦୁଇ ଜଣ ପୋଲିସ ଅଧିକାରୀ ଦିଲୀପ ସିଂ ଏବଂ ପୋଲିସ ଡ୍ରାଇଭର ଜୟପାଲ ନିଲମ୍ବିତ କରିଥିଲେ ଯୋଗୀ ସରକାର।
ଡିସେମ୍ବର 2014: ଅକ୍ଟୋବର 31ରେ ନୂତନ ମହାରାଷ୍ଟ୍ର ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାର ତ୍ରୁଟି ଦେଖାଯାଇଥିଲା। ଏଥିପାଇଁ ଜଣେ ପୋଲିସ୍ ଇନ୍ସପେକ୍ଟର ଏବଂ ଦୁଇ ଜଣ କନଷ୍ଟେବଳଙ୍କ ସମେତ ତିନିଜଣ ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପ୍ରଧାନମନ୍ତ୍ରଙ୍କ ଠାରୁ ଠାରୁ କିଛି ମିଟର ଦୂରରେ ଥିବା ପୋଡିୟମ ଉପରକୁ ଜଣେ ବ୍ୟକ୍ତି ଚଢିବାକୁ ଉଦ୍ୟତ ହେଉଥିବାବେଳେ ତାକୁ କାବୁ କରିଥିଲେ ସୁରକ୍ଷାକର୍ମୀ । ପରେ ଏହି ବ୍ୟକ୍ତି ଜଣଙ୍କ 39 ବର୍ଷିୟ କାର୍ଯ୍ୟକର୍ତ୍ତା ଅନୀଲ ମିଶ୍ର ବୋଲି ଜଣା ପଡିବା ପରେ ତାଙ୍କୁ ଗିରଫ କରିଥିଲା ପୋଲିସ ।