ଗାନ୍ଧୀନଗର:ଅହମ୍ମଦାବାଦର ବସ୍ତ୍ରାପୁର ହ୍ରଦରେ ସୁରକ୍ଷା କର୍ମୀଙ୍କୁ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତର ଗିରଫଦାରୀ ପରେ ହତ୍ୟାକାଣ୍ଡ ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ପାନୀୟ ଜଳକୁ ନେଇ ଅଭିଯୁକ୍ତ ଏବଂ ମୃତକଙ୍କ ମଧ୍ୟରେ ବିବାଦ ଥିବାରୁ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ ଘଟାଇଛି ବୋଲି ପ୍ରାଥମିକ ଭାବେ ପୋଲିସ ଜାଣିବାକୁ ପାଇଛି । ଅଭିଯୁକ୍ତ ଏକ କ୍ରୁର ସ୍ବାଭାବର ବ୍ୟକ୍ତି ଥିଲା ବିଭିନ୍ନ ସମୟରେ ହିଂସା ଘଟାଉଥିଲା । ପିଇବା ପାଣି ବିବାଦରୁ ସେ ସୁରକ୍ଷାକର୍ମୀକୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।
ଫେବୃଆରୀ 7ରେ ଏହି ହତ୍ୟାକାଣ୍ଡ ଘଟିଥିଲା । ବସ୍ତ୍ରାପୁର ହ୍ରଦ ନିକଟରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ଗାର୍ଡ ରାତ୍ରୀ ଡ୍ୟୁଟି ସମୟରେ ଶୋଇଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା । ଗାର୍ଡକୁ ହତ୍ୟା କରି ମୃତଦେହ ଫିଙ୍ଗିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ନିକଟରେ ଲାଗିଥିବା ଏକ ସିସିଟିଭିରେ ରେକର୍ଡ ହୋଇଥିଲା ।ଏହି ମାମଲାରେ ତଦନ୍ତ କରି ପୋଲିସ ନେପାଳର ରାମଜତନ ମୁଖିଆ ନାମକ ଜଣେ 20 ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି ।