ହାଇଦ୍ରାବାଦ:ପୁଣି ସାମ୍ନାକୁ ଆସିଛି ଆଉ ଏକ ସୀମା ପାର ପ୍ରେମ କାହାଣୀ । ସୀମା-ସଚିନ ଓ ଅଞ୍ଜୁ-ନସରୁଲ୍ଲାଙ୍କ ପରେ ଏବେ ଆଉ ଏକ ଭାରତ-ପାକିସ୍ତାନ ସମ୍ପର୍କିତ ପ୍ରେମ କାହାଣୀ ବିଷୟରେ ଜାଣିବାକୁ ମିଳିଛି । ପତ୍ନୀ ପାଇଁ ପାକିସ୍ତାନର ସୀମା ଅତିକ୍ରମ କରି ଭାରତରେ ଅବାଧ ପ୍ରବେଶ କରିଛନ୍ତି ଜଣେ ପାକିସ୍ତାନୀ ନାଗରିକ । ତାଙ୍କ ନାଁ ଫାୟାଜ ଅହମ୍ମଦ ହୋଇଥିବାବେଳେ ବୟସ ମାତ୍ର 24 ବର୍ଷ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, 2018 ଡିସେମ୍ବରରେ ପାକିସ୍ତାନର ଖାଇବର ପାଖତୁନଶ୍ବାଠାରୁ ଚାକିରି ପାଇଁ ଶାରଜାହ ଯାଇଥିଲେ ଫାୟାଜ । ସେ ସାଇଫଜୋନରେ ଏକ ଟେକ୍ସଟାଇଲ ଇଣ୍ଡଷ୍ଟ୍ରିରେ କାମ ମଧ୍ୟ ଆରମ୍ଭ କରିଥିଲେ । ଅନ୍ୟପଟେ ବାହାଦୁରପୁର ପୋଲିସ ଷ୍ଟେସନ ଅନ୍ତର୍ଗତ କିଶାନବାଗରୁ ନେହା ଫାତିମା ନାମକ 29ବର୍ଷୀୟ ଜଣେ ଯୁବତୀ ମଧ୍ୟ ଚାକିରି ପାଇଁ 2019ରେ ଶାରଜାହ ଯାଇଥିଲେ । ଯେଉଁଠି ଉଭୟଙ୍କ ଦେଖା ହୋଇଥିଲା । ପରବର୍ତ୍ତୀ ସମୟରେ ଏକ ଫ୍ୟାଶନ ଇଣ୍ଡଷ୍ଟ୍ରିରେ ଚାକିରି ପାଇଁ ଫାତିମାଙ୍କୁ ସାହାଯ୍ୟ କରିଥିଲେ ଫାୟାଜ ।
ସମୟକ୍ରମେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ 2019 ମସିହାରେ ଶାରଜାହଠାରେ ଉଭୟ ବିବାହ ମଧ୍ୟ କରିଥିଲେ । ଏପରିକି ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ତେବେ ଗତ ବର୍ଷ ଫାତିମା ଏକୁଟିଆ ହାଇଦ୍ରାବାଦ ଆସିଥିଲେ । ସେ ବର୍ତ୍ତମାନ କିଶାନବାଗ ସ୍ଥିତ ଆସଫ ବାବାନଗରରେ ରହୁଥିବା ଜଣାପଡିଛି । ତେବେ ଫାତିମାଙ୍କୁ ଦେଖା କରିବା ପାଇଁ ଫାୟାଜ ନେପାଳ ସୀମା ଦେଇ ପାକିସ୍ତାନରୁ ବେଆଇନ ଭାବେ ଭାରତରେ ପ୍ରବେଶ କରି ହାଇଦ୍ରାବାଦରେ ପହଞ୍ଚିଥିଲେ । ଆଉ ଏହି ବେଆଇନ ପ୍ରବେଶ ବେଳେ ତାଙ୍କୁ ଶ୍ବଶୁର ଜୁବେର ଶେଖ ଏବଂ ଅଫଜଲ ବେଗମ ସାହାଯ୍ୟ କରିଥିଲେ ।