ଓଡିଶା

odisha

ETV Bharat / bharat

35 ବର୍ଷ ଧରି ଶ୍ମଶାନ ଦାୟିତ୍ବରେ ସାହାନୁର ବେଗମ - sahanur begam of assam

ଧର୍ମକୁ ନେଇ ଅନେକ ସମୟରେ ଦେଶରେ ବିବାଦ ଦେଖାଦିଏ। ସାର୍ବଭୌମତ୍ବ ରାଷ୍ଟ୍ର ହୋଇଥିବା ସତ୍ତ୍ବେ ଲୋକଙ୍କ ମନରେ ଧର୍ମକୁ ନେଇ ଅସହିଷ୍ଣୁତା ବଢ଼ି ଚାଲିଛି। ଏଭଳି ସମୟରେ ଏମିତି ବି ଜଣେ ମହିଳା ଅଛନ୍ତି ଯିଏ ଜଣେ ମୁସଲମାନ ହୋଇ ଶ୍ମଶାନ ଦେଖାରଖା କରନ୍ତି। ଅଧିକ ପଢ଼ନ୍ତୁ...

a muslim woman named cleaning hindu graveyard since 30 year in assam golaghat
ସର୍ବଧର୍ମ ଯାହାଙ୍କ ପାଇଁ ସମାନ, ସେ ସାହାନୁର ବେଗମ

By

Published : Feb 1, 2021, 8:03 AM IST

ଗୌହାଟି:ଦେଶରେ ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ଧାର୍ମିକ ଅସହିଷ୍ଣୁତା। ସମସ୍ତଙ୍କ ମନରେ ନିଜ ଧର୍ମକୁ ନେଇ ରହିଛି ଅହଂ ଭାବ। ଏଭଳି ସମୟରେ ଆସାମ ଗୋଲାଘାଟ ଜିଲ୍ଲାରେ ଦେଖିବାକୁ ମିଳିଛି ଧାର୍ମିକ ସଦଭାବର ଦୃଷ୍ଟାନ୍ତ। ଇଏ ହେଉଛନ୍ତି ସାହାନୁର ବେଗମ। ଗତ 35 ବର୍ଷ ହେଲା ହିନ୍ଦୁମାନଙ୍କ ଶ୍ମଶାନ ପରିମଳ କରୁଛନ୍ତି। ମୋଟାମୋଟି ଭାବେ କହିଲେ ସେ ଏହି ଶ୍ମଶାନର ଦେଖାରଖା ଦାୟିତ୍ବ ନେଇଛନ୍ତି।

ସର୍ବଧର୍ମ ଯାହାଙ୍କ ପାଇଁ ସମାନ, ସେ ସାହାନୁର ବେଗମ

ବଡି ସକାଳୁ ନମାଜ ପଢ଼ିବା ପରେ, ସାହାନୁର ନିଜ କାମରେ ବାହାରି ଯାଆନ୍ତି। ହାତରେ ଝାଡ଼ୁ ଓ ଟୋକେଇ ନେଇ ପହଞ୍ଚି ଯାଆନ୍ତି ତେନପୁର ଶାନ୍ତିବନ ଶ୍ମଶାନରେ। ଏଠାରେ ପହଞ୍ଚିବା କ୍ଷଣି ଆରମ୍ଭ ହୋଇଯାଏ ଶ୍ମଶାନର ସଫେଇ କାର୍ଯ୍ୟ। ଦିନେ କି ଦୁଇ ଦିନ ନୁହେଁ, 35 ବର୍ଷ ହେଲା ସାହାନୁର ଏହି କାର୍ଯ୍ୟକୁ ଦାୟିତ୍ବର ସହ ତୁଲାଇଛନ୍ତି।

ଗତ 3 ଦଶକରେ ଶ୍ମଶାନ ସହ ଏକ ସମ୍ପର୍କ ଗଢ଼ିଛନ୍ତି ସାହାନୁର। ଶ୍ମଶାନ ସଫା କରିବା ସହ, ସେ ଏଠାକୁ ଶବଦାହ କରିବାକୁ ଆସୁଥିବା ଲୋକଙ୍କୁ ସହାୟତା ମଧ୍ୟ କରନ୍ତି। ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ କାଠ ଓ ଅନ୍ୟାନ୍ୟ ଜିନିଷର ବ୍ୟବସ୍ଥା କରନ୍ତି। ଏଥିପାଇଁ ମୃତକଙ୍କ ସମ୍ପର୍କୟୀଙ୍କୁ ଏଠାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େନି। ଶ୍ମଶାନରେ ସେ ବହୁ ଫଳ ଗଛ ମଧ୍ୟ ଲଗାଇଛନ୍ତି। ସେଥି ମଧ୍ୟରେ ଆମ୍ବ, କଦଳୀ ଓ ପିଜୁଳି ଗଛ ସାମିଲ ରହିଛି।

ଶ୍ମଶାନରେ କଦଳୀ ପତ୍ରର ଆବଶ୍ୟକତା ଥାଏ। ଏଥିପାଇଁ କଦଳୀ ଗଛ ଲାଗିଛି। ଏଠାରେ ଗୁଆ ଗଛ ମଧ୍ୟ ଲଗିଛି। କିଛି ଗରିବ ଶ୍ରେଣୀର ଲୋକଙ୍କ ପାଖରେ କାଠ କିଣିବା ପାଇଁ ଟଙ୍କା ମଧ୍ୟ ନଥାଏ। ସେମାନଙ୍କ ପାଇଁ ଏଠାରେ ବାଉଁଶ ଗଛ ଲାଗିଛି। ଆବଶ୍ୟକ ପଡ଼ିଲେ ସେମାନେ ଏହାକୁ ଶବଦାହରେ ବ୍ୟବହାର କରି ପାରିବେ।

ସାହାନୁରଙ୍କ ପାଇଁ ସର୍ବଧର୍ମ ସମାନ। ନିଜର ସେବା ପାଇଁ ସେ କୌଣସି ଦେୟ ମଧ୍ୟ ନିଅନ୍ତି ନାହିଁ। ଏଥିପାଇଁ ସାହାନୁର ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଂଶସିତ। ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ବର୍ଷ ଗଣତନ୍ତ୍ର ଦିବସରେ ତାଙ୍କୁ ସମ୍ମାନୀତ ମଧ୍ୟ କରାଯାଇଥିଲା।

ନିଃସ୍ବାର୍ଥ ଭାବରେ ସାହାନୁର ଏକ ମହାନ ସେବା କାର୍ଯ୍ୟ କରୁଛନ୍ତି। ସେ ସାମ୍ପ୍ରଦାୟିକ ସଦଭାବ ଓ ମାନବିକତାର ସନ୍ଦେଶ ପ୍ରଚାର ପ୍ରସାର କରୁଛନ୍ତି। ତାଙ୍କୁ ନେଇ ତେନପୁରବାସିନ୍ଦା ମଧ୍ୟ ଗର୍ବ କରନ୍ତି। ତେବେ ସେ ଆହୁରି ବଡ଼ ସମ୍ମାନର ଅଧିକାରିଣୀ ବୋଲି ମାନନ୍ତି ସ୍ଥାନୀୟ ବାସିନ୍ଦା।

ଧାର୍ମିକ ଅସହିଷ୍ଣୁତା ଲୋକଙ୍କ ମନରେ ବଢ଼ି ଚାଲିଛି ସତ । ହେଲେ ସାହାନୁରଙ୍କ ଭଳି ମହିଳା ସମାଜରେ ଏକତା, ମାନବିକତାକୁ ମଜଭୁତ କରିବାରେ ସକ୍ଷମ ରହିଛନ୍ତି। ଏଥିରେ ତିଳେହେଁ ସନ୍ଦେହ ନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details