ହାଇଦ୍ରାବାଦ: ସିଇଓଙ୍କ ଶିଶୁପୁତ୍ର ହତ୍ୟା ମାମଲାରେ ନୂଆ ଖୁଲାସା । ଗୋଆ ହୋଟେଲରୁ ମିଳିଲା ବେଙ୍ଗାଲୁରୁ ସିଇଓ ସୂଚନା ସେଠଙ୍କ ହାତଲେଖା ଚିଠି । ଏଥିରେ କୋର୍ଟଙ୍କ ଆଦେଶକୁ ନେଇ ବିସ୍ଫୋରକ କଥା ଲେଖିଥିଲେ ସୂଚନା । ଗୋଆ ପୋଲିସ ଏହି ଚିଠିକୁ ଜବତ କରି ଏହାର ସତ୍ୟତା ଯାଞ୍ଚ ପାଇଁ ପଠାଇଛି । ସୂଚନା ଅନୁସାରେ ଚିଠିରେ ଲେଖା ଅଛି, “ମୋ ସ୍ବାମୀ ମୋ ପୁଅକୁ ଭେଟିବା ପାଇଁ କୋର୍ଟ ଦେଇଥିବା ଆଦେଶକୁ ମୁଁ ବରଦାସ୍ତ କରିପାରିବି ନାହିଁ ।"
ଗୋଆରେ ସର୍ଭିସ ଆପାର୍ଟମେଣ୍ଟରେ ରହୁଥିଲେ ବେଙ୍ଗାଲୁରୁ ଏକ ଷ୍ଟାଟଅପ୍ କମ୍ପାନି ସିଇଓ ସୂଚନା ସେଠ୍ । ତାଙ୍କ ସହ ଥିଲେ 4 ବର୍ଷର ପୁଅ । ସ୍ବାମୀଙ୍କ ସହ ଦାମ୍ପତ୍ୟ କଳହକୁ ନେଇ ସୂଚନା ନିଜର 4 ବର୍ଷର ପୁଅକୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ହତ୍ୟା ପୂର୍ବରୁ ସୂଚନା ନିଜ ପୁଅକୁ ଅଚେତ କରିବା ପାଇଁ କଫ୍ ସିରପ୍ ଆଇଥିଲେ । ରୁମରୁ ଦୁଇଟି ଖାଲି କଫ୍ ସିରଫ ବଟଲ ଜବତ କରିଥିଲା ଗୋଆ ପୋଲିସ ।
ସୂଚନା ଅନୁସାରେ, କୋର୍ଟଙ୍କ ନିର୍ଦ୍ଦେଶରେ ଅସନ୍ତୁଷ୍ଟ ଥିଲେ ସୂଚନା । ତାଙ୍କ ସ୍ୱାମୀ ପ୍ରତି ରବିବାର ପୁଅକୁ ଭେଟିବାକୁ କୋର୍ଟ ଅନୁମତି ଦେଇଥିବା ବେଳେ, ଏହାକୁ ଗ୍ରହଣ କରି ପାରୁ ନଥିଲେ ସୂଚନା । ସେ ଏହାକୁ ନେଇ 2022 ମସିହାରେ ତାଙ୍କ ସ୍ୱାମୀ ଭେଙ୍କଟ ରମଣଙ୍କ ବିରୋଧରେ କୋର୍ଟରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଏହି ମାମଲାରେ ଅଦାଲତଙ୍କ କାଗଜପତ୍ରରେ ଦର୍ଶାଯାଇଛି ଯେ, ସେ ରମଣଙ୍କଠାରୁ ମାସିକ ୨ ଲକ୍ଷ ଟଙ୍କା ଭରଣ ପୋଷଣ ଦାବି କରିଥିଲେ।