ଥିରୁଅନନ୍ତପୁରମ:ଅନ୍ତର୍ଜାତୀୟ ଫର୍ମୁଲା-ଓ୍ବାନ କାର ରେସିଂରେ ଚାମ୍ପିଅନ ହେବା ଲକ୍ଷ୍ୟରେ କେରଳ କୋଜିକୋଡେର ପାହାଡି ଏରିଆର ଜଣେ ଯୁବତୀ । ଏହି ଯୁବତୀ ହେଉଛନ୍ତି କୋଜିକୋଡେ ଜିଲ୍ଲାର ଚେମ୍ବରା ଅନ୍ତର୍ଗତ ଛାକ୍କିତାପରା ଏରିଆର 23 ବର୍ଷୀୟା ସାଲଭା ମର୍ଜାନ । ଚଳିତ 4 ତାରିଖରୁ ଚେନ୍ନାଇରେ ହେବାକୁ ଯାଉଥିବା ଫର୍ମୁଲା 4 (ଏଫ-4) କାର ରେସିଂ ଚାମ୍ପିୟନସିପରେ ଅଶଂଗ୍ରହଣ କରିବାକୁ ଯାଉଛନ୍ତି ସାଲଭା ମର୍ଜାନ । ଏଥିପାଇଁ ତାଙ୍କ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିରେ ସଫଳ ହେବା ପରେ ସେ ପର୍ଯ୍ୟାୟକ୍ରମେ ଫର୍ମୁଲା- 1 ଚାମ୍ପିଅନସିପରେ ମଧ୍ୟ ଅଂଶଗ୍ରହଣ ଲକ୍ଷ୍ଯ ରଖିଛନ୍ତି ।
ଚେନ୍ନାଇ ଚାମ୍ପିୟନସିପରେ ଅଂଶଗ୍ରହଣ କରିବା ପୂର୍ବରୁ ଏଥିପାଇଁ ସାଲଭା ଦୁବାଇରେ ପ୍ରଶିକ୍ଷଣ ଓ ଅଭ୍ୟାସ ମଧ୍ୟ ଶେଷ କରି ଭାରତ ଫେରିଛନ୍ତି । ଯଦି ସେ ଏହି ଚାମ୍ପିଅନସିପରେ ଚାମ୍ପିଅନ ହୁଅନ୍ତି, ତେବେ ଦେଶର ପ୍ରଥମ ଅନ୍ତର୍ଜାତୀୟ ରେସର ଭାବେ ଖାତି ଅର୍ଜନ କରିବେ ।
ସାଲଭା ପିଲାଦିନୁ ଏହି କ୍ଷେତ୍ରେର କ୍ୟାରିୟର କରିବା ପାଇଁ ଆଗ୍ରହ ଦେଖାଇଥିଲେ । ଗତ 8 ବର୍ଷ ଧରି ଏହି କ୍ଷେତ୍ରରେ ଅଭ୍ୟାସ ଓ ପ୍ରଶିକ୍ଷଣ ମଧ୍ୟ ଜାରି ରଖିଛନ୍ତି । ହେଲେ ବିଶେଷ ଭାବେ ଏହି ବର୍ଗର ଆହ୍ବାନପୂର୍ଣ୍ଣ କ୍ରୀଡା କ୍ଷେତ୍ରରେ ପୁରୁଷ ଆଥଲେଟଙ୍କ ପ୍ରାଧାନ୍ୟ ଅଧିକ ରହିଥାଏ । ଭାରତରେ ଏଥିରେ ଅଂଶଗ୍ରହଣ କରୁଥିବା ମହିଳା ଆଥଲେଟଙ୍କ ସଂଖ୍ୟା ମଧ୍ୟ ବେଶ କମ । ତାଙ୍କର ଏହି ଇଚ୍ଛାକୁ ପରିବାର ସଦସ୍ୟ ପିଲାଦିନୁ ସମର୍ଥନ କରିଆସିଥିଲେ । ଫଳରେ ସେ ବିଦେଶ ଯାଇ ପ୍ରଶିକ୍ଷଣ ମଧ୍ୟ ଶେଷ କରିଥିଲେ । ଏବେ ତାଙ୍କୁ ଚେନ୍ନାଇରେ ଆୟୋଜିତ ହେବାକୁ ଥିବା ଏଫ-4 ବିଶ୍ବ ଚାମ୍ପିୟନସିପରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିଛି । ତେବେ ସେ ପ୍ରଥମେ ଫର୍ମୁଲା -LGB ସିଙ୍ଗଲ ସିଟର କାରରୁ ନିଜ ଯାତ୍ରା ଆରମ୍ଭ କରିଥିଲେ । ଏହା ପରେ ସେ ଓପନ-ହ୍ବିଲ ରେସ କାରରେ ମଧ୍ୟ ଦକ୍ଷତା ହାସଲ କରିସାରିଛନ୍ତି ।