ବେଙ୍ଗାଲୁରୁ: ମହାମାରୀ କୋରୋନା ଭାଇରସ ସଂକ୍ରମଣରେ ସାରା ଦେଶ ବେହାଲ । ଏଥିପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ କଟକଣା ସହ ଜାରି ହୋଇଛି ନାଇଟ କର୍ଫ୍ୟୁ । ଏହି ସଙ୍କଟ ସ୍ଥିତିରେ ମାସ୍କ ବ୍ୟବହାରକୁ କରାଯାଇଛି ବାଧ୍ୟତମୂଳକ । ଏଥିରେ ଖିଲାପ କଲେ ନିଆଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ । ଏଭଳି ସ୍ଥିତିରେ ବଜାରରେ ଉପଲବ୍ଧ ହୋଇଛି ଭଳିକ ଭଳି ମାସ୍କ । ସର୍ଜିକାଲ ମାସ୍କଠୁ ଆରମ୍ଭ କରି କଟନ ମାସ୍କ ବ୍ୟବହାର କରୁଛନ୍ତି ଲୋକେ । କିନ୍ତୁ ଏହି ମାସ୍କ ବ୍ୟବହାର ପରେ ଏହାକୁ କିଭଳି ଭାବରେ ନଷ୍ଟ କରାଯିବ ତାହାକୁ ନେଇ ଚିନ୍ତାରେ ବିଭିନ୍ନ ଅଧିକାରୀ । ତେବେ ଏହି ସମସ୍ୟାର ଏକ ରାମବାଣ ଉପାୟ ଖୋଜି ବାହାର କରିଛି ବେଙ୍ଗାଲୁରୁର ଏକ ସଂସ୍ଥା । ସର୍ଜିକାଲ ମାସ୍କ ବଦଳରେ ଇକୋ ଫ୍ରେଣ୍ଡଲୀ ମାସ୍କ ବର୍ତ୍ତମାନ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ ।
ବର୍ତ୍ତମାନ ସର୍ଜିକାଲ ମାସ୍କର ଉପଯୋଗ ଅଧିକ ହେଉଛି । କିନ୍ତୁ ଏହି ବ୍ୟବହୃତ ମାସ୍କ କେବେ ବାୟୋଡିଗ୍ରେଡେବଲ ନୁହେଁ । ଏହି ମାସ୍କ ସହଜରେ ମାଟିରେ କିମ୍ବା ପାଣିରେ ମିଶେନି । ଏଥିପାଇଁ ବିକଶିତ ହୋଇଛି ପରିବେଶ ଅନୁକୁଳ ମାସ୍କ । ପରିବେଶ ଉପରେ ଧ୍ୟାନ ଦେଇ ସଂସ୍ଥା ତିଆରି କରିଛି ଏକ ପେପର ମାସ୍କ ।
ମାଙ୍ଗାଲୋରରେ ଆରମ୍ଭ ହୋଇଥିବା ଏକ ସଂସ୍ଥା ଉତ୍ପାଦନ କରିଛି ପରିବେଶ ଅନୁକୁଳ ଅନେକ ଜିନିଷ । ଏହି ସବୁ ଜିନିଷ ବଜାରରେ ଉପଲବ୍ଧ ମଧ୍ୟ କରାଇ ପାରିଛି । ବର୍ତ୍ତମାନ ଏହି ସଂସ୍ଥା ବିକଶିତ କରିଛି ଇକୋ ଫ୍ରେଣ୍ଡଲୀ ମାସ୍କ । ମାସ୍କ ତିଆରି ବେଳେ କେବଳ ସୁରକ୍ଷା ନୁହେଁ ବରଂ ପରିବେଶ ସଂରକ୍ଷଣ ଉପରେ ମଧ୍ୟ ଜୋର ଦିଆଯାଇଛି ।