ଧର୍ମଶାଳା:ନିଆରା ଲୋକ କଳା ଓ ସଂସ୍କୃତି ପାଇଁ ସୁପରିଚିତ ହିମାଚଳ ପ୍ରଦେଶ । ହିମାଚଳ କଳାର ନାହିଁ କୌଣସି ମୁକାବିଲା । ଆଜି ଆମେ ଆପଣଙ୍କୁ ଏଭଳି କିଛି କଳା ବିଷୟରେ କହିବୁ । କେବେ ଘୋଡ଼ାକେଶରେ ଚୁଡ଼ି ତିଆରି ହେବା କଥା ଶୁଣିଛନ୍ତି ? କଥା ଟିକିଏ ଅଡ଼ୁଆ ଲାଗୁଥିଲେ ବି ସତ। ଏହି ସବୁ ସୁନ୍ଦର ସୁନ୍ଦର ଚୁଡ଼ି ଘୋଡ଼ା କେଶରୁ ହିଁ ତିଆରି। ଏହି ଚୁଡ଼ି ଖରାପ ନଜରରୁ ରକ୍ଷା କରୁଥିବା ଲୋକକଥା ରହିଛି । ହିମାଚଳରେ ଛୋଟ ପିଲାଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସଭିଏଁ ଏହାକୁ ପିନ୍ଧୁଥିବା ଦେଖିପାରିବେ।।
ଘୋଡ଼ାକେଶରୁ ଚୁଡ଼ି ତିଆରି କଳା ବହୁ ପୁରୁଣା। ଚମ୍ବା ଜିଲ୍ଲାର ଚରପେଟ ମହଲାର ସ୍ବର୍ଣ୍ଣାଦେବୀ 30 ବର୍ଷ ହେଲା ଏହି କାମ କରି ଆସୁଛନ୍ତି । ସେ ନିଜ ମାଆଙ୍କଠାରୁ ଏହି କଳା ଶିକ୍ଷା ଲାଭ କରିଥିଲେ । ସ୍ବର୍ଣ୍ଣାଙ୍କ ଆଇଙ୍କଠାରୁ ତାଙ୍କ ମାଆ ଏହି କଳା ଶିଖିଥିଲେ। ଘୋଡ଼ାର କେଶରୁ ଚୁଡ଼ି ଓ ବଳା ତିଆରି ହେଉଛି।
ଆଜି ସ୍ବର୍ଣ୍ଣାଦେବୀ ଏହି କଳାକୁ ବଞ୍ଚାଇ ରଖିଛନ୍ତି । ଚାଲନ୍ତୁ ଜାଣିବା କେମିତି ତିଆରି ହୁଏ ଘୋଡ଼ା କେଶରୁ ଚୁଡ଼ି। ଚୁଡ଼ି ତିଆରି ପାଇଁ ଘୋଡ଼ାର 2 ଫୁଟ ଲମ୍ବା କେଶ ଆବଶ୍ୟକ। ଏହି କେଶ ସହ ଚୁଡ଼ି ତିଆରି ପାଇଁ ବାଉଁଶ ପାତି ମଧ୍ୟ ଆବଶ୍ୟକ। ବାଉଁଶ ପାତିକୁ ଛୋଟଛୋଟ କଟାଯାଏ। ଏହାପରେ ବାଉଁଶକୁ ଦିଆଯାଏ ଚୁଡ଼ି ଆକାର । ଏହାପରେ ବିଭିନ୍ନ ରଙ୍ଗର ଘୋଡ଼ା କେଶ ଖଣ୍ଡରେ କରାଯାଏ ନାନା କଳାକୃତି । ଏହିଭଳି ଭାବରେ ଘୋଡ଼ାକେଶରୁ ଚୁଡ଼ି ତିଆରି ହୁଏ। ସ୍ବର୍ଣ୍ଣାଦେବୀ ଏହି କଳାରେ ମାହିର। ବର୍ତ୍ତମାନ ସେ ତାଙ୍କ ପରବର୍ତ୍ତୀ ପିଢ଼ି ମଧ୍ୟ ଏହି ଶିକ୍ଷା ଦେଉଛନ୍ତି।