ଓଡିଶା

odisha

ETV Bharat / bharat

Tiger Attack: ୭ ବର୍ଷର କୁନି ପୁଅକୁ ଖାଇଗଲା ବାଘ, ବନ ବିଭାଗକୁ ଦାୟୀ କରି ବିକ୍ଷୋଭ ପ୍ରଦର୍ଶନ

କର୍ଣ୍ଣାଟକରେ ଜଣେ ୭ ବର୍ଷର ନାବାଳକକୁ ଖାଇଗଲା ବାଘ । ଅଘଟଣ ପାଇଁ ବନ ବିଭାଗକୁ ଦାୟୀ କରି ବିକ୍ଷୋଭ ପ୍ରଦର୍ଶନ କଲେ ଗାଁ ଲୋକେ । ଅଧିକ ପଢ଼ନ୍ତୁ

ବାଘ ଆକ୍ରମଣରେ ନାବାଳକ ମୃତ
ବାଘ ଆକ୍ରମଣରେ ନାବାଳକ ମୃତ

By ETV Bharat Odisha Team

Published : Sep 5, 2023, 11:17 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ମହୀଶୂରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ଏଚଡି ତାଲୁକ ଅଞ୍ଚଳରେ ଗତକାଲି(ସୋମବାର) ବାଘ ଆକ୍ରମଣରେ ଜଣେ ୭ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ପିଲାଟି ଗୋଟିଏ ଗଛ ତଳେ ଖେଳୁଥିବା ବେଳେ ବାଘ ଆସି ତାକୁ ଝାମ୍ପି ନେଇଥିଲା । ବହୁ ଖୋଜାଖୋଜି କରିବା ପରେ ନାବାଳକର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଥିଲା । ବନ ବିଭାଗର ଅବହେଳା ପାଇଁ ଏହି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ କାଲାହାଟ୍ଟୀ ଗାଁର କ୍ରିଷ୍ଣା ନାୟକ ଜଣେ ବ୍ୟକ୍ତି ନିଜର ୭ ବର୍ଷର ପୁଅକୁ ନେଇ ବିଲକୁ କାମ କରିବାକୁ ଯାଇଥିଲେ । ସେ ପୁଅକୁ ବିଲ ପାଖରେ ଏକ ଗଛ ତଳେ ଛାଡ଼ି କାମ କରୁଥିଲେ । ପିଲାଟି ସେଠାରେ ଖେଳୁଥିବା ବେଳେ ହଠାତ୍ ଗୋଟିଏ ବାଘ ଆସି ତାକୁ ଟାଣି ନେଇ ଜଙ୍ଗଲକୁ ପଳାଇଥିଲା । କିଛି ସମୟ ପରେ କ୍ରିଷ୍ଣା ନିଜ ପୁଅକୁ ଖୋଜିବାରୁ ଆଉ ପାଇନଥିଲେ । ଏହାପରେ ପରିବାର ଲୋକେ ଏବଂ ଗ୍ରାମବାସୀ ମିଶି ବହୁ ଖୋଜାଖୋଜି କରିବା ପରେ ନାବାଳକର ମୃତଦେହ ମିଳିଥିଲା । ବାଘ ପିଲାଟିର ଶରୀରର ଅନେକ ଅଂଶକୁ ଖାଇ ଯାଇଥିବା ଦେଖିବାକୁ ମିଳିଥିଲା । ଏହି ଅଘଟଣ ପାଇଁ ବନ ବିଭାଗର ଅବହେଳାକୁ ଦାୟୀ କରି ଗାଁ ଲୋକେ ମୃତଦେହକୁ ଚାଷଜମିରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଗାଁ ଦାଣ୍ଡରେ ଖେଳୁଥିଲା କୁନି ଝିଅ, ଟାଣି ନେଇ ଖଣ୍ଡ ଖଣ୍ଡ କଲା ଚିତା

ମିଳିଥିବା ସୂଚନା ମୁତାବକ, ଗତ ସପ୍ତାହେ ହେଲାଣି ଗୋଟିଏ ବାଘ କାଲାହାଟ୍ଟୀ ଗାଁ ନିକଟରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏନେଇ ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ । ହେଲେ ବାଘକୁ ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନଥିଲା । ବିଭାଗର ଅବହେଳା ପାଇଁ ଶେଷରେ ବାଘ ଆକ୍ରମଣରେ ଗୋଟିଏ ନିରୀହ ପିଲାଟିର ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି । ଏହି ଖବର ପାଇ ବନ ବିଭାଗ ଅଧିକାରୀଙ୍କ ସମେତ ସ୍ଥାନୀୟ ବିଧାୟକ ଚିକ୍କାମାଡୁ ଘଟଣାସ୍ଥଳରେ ପହଞ୍ଚି ଥିଲେ । ତେବେ ସରକାରଙ୍କ ପକ୍ଷରୁ ମୃତ ନାବାଳକର ପରିବାରକୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଥିବା ସୂଚନା ମିଳିଛି । ଏହାସହିତ ବିଧାୟକ ମୃତକଙ୍କ ପରିବାରକୁ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ABOUT THE AUTHOR

...view details