ଗୌହ୍ୱାଟି:ତୁର୍କୀ-ସିରିଆ ଭୂମିକମ୍ପ ଏବେ ସାରା ବିଶ୍ବକୁ ବ୍ୟତିବ୍ରସ୍ତ କରିଥିବା ବେଳେ ଏପଟେ ଭୂକମ୍ପ ଝଟକାରେ ଥରିଲା ଆସାମ । ଆଜି (ରବିବାର) ଆସାମ ନାଗାଓଁରେ ରିକ୍ଟର ସ୍କେଲ୍ରେ ୪.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଅପରାହ୍ନ ପ୍ରାୟ ୪ଟା ୧୮ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସିମୋଲୋଜି (NCS) ପକ୍ଷରୁ ସୂଚନା ଦିଆଯାଇଛି ।
ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରବିବାର ଅପରାହ୍ନରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ସେଠାରେ କଣ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ ସୂଚନା ମିଳିନାହିଁ । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ନାଗାଓଁ ଜିଲ୍ଲାର ରହିଥିଲା ଏବଂ ଏହାର ଗଭୀରତା ୧୦ କିଲୋମିଟର ପର୍ଯ୍ୟନ୍ତ ଥିଲା । ଭୂକମ୍ପ କେନ୍ଦ୍ର ଆସାମର ଗୌହାଟିଠାରୁ ପ୍ରାୟ ୧୬୦ କିଲୋମିଟର ପୂର୍ବରେ ରହିଥିବା ନେଇ ସୂଚନା ମିଳିଛି । ପଡ଼ୋଶୀ ୱେଷ୍ଟ କର୍ବି ଅଙ୍ଗଲୋଙ୍ଗ, ଗୋଲଘାଟ ଓ ମୋରିଗାଓଁ ଜିଲ୍ଲାବାସୀ ମଧ୍ୟ ଝଟକା ଅନୁଭୂତ କରିଥିବା ଜଣାପଡିଛି ।
ଏହା ବି ପଢନ୍ତୁ- ଏବେ ବି ଧ୍ୱଂଶ ସ୍ତୁପ ତଳେ ଅନେକ ଜୀବନ, ତୁର୍କୀ ସିରିଆରେ ଥମୁନି ମୃତ୍ୟୁର ତାଣ୍ଡବ
ଏହା ପୂର୍ବରୁ ଶନିବାର ଗୁଜୁରାଟ ସୁରତଠାରେ ମଧ୍ୟ ୩.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ରାତି ପ୍ରାୟ ୧୨:୫୨ ଟାରେ ହୋଇଥିଲା । ସୁରତ ଦକ୍ଷିଣ ପଶ୍ଚିମ ଅଞ୍ଚଳରୁ ଏହାର କେନ୍ଦ୍ର ସ୍ଥଳ ପ୍ରାୟ ୨୭ କିଲୋମିଟର ଦୂରରେ ରହିଥିଲା । ସେହିପରି ଫେବୃଆରୀ ପ୍ରଥମ ସପ୍ତାହରେ ମଣିପୁର ଉଖରୁଲଠାରେ ୪.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଫେବୃଆରୀ ୪ ତାରିଖ ସକାଳ ପ୍ରାୟ ୬ଟା ୧୪ରେ ଏହି ଝଟକା ଲୋକଙ୍କୁ ଭୟଭୀତ କରିଥିଲା ।
ସୂଚନା ଥାଉ କି ଏବେ ତୁର୍କୀ-ସିରିଆରେ ହୋଇଥିବା ଭୂମିକମ୍ପର କରାଳ ରୂପ ଦେଖି ସାରା ବିଶ୍ବବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ତୁର୍କୀ ଓ ସିରିଆରେ ସିରିଜ ଭୂମିକମ୍ପ ଯୋଗୁଁ ମୃତ୍ୟୁସଂଖ୍ୟା ୩୦ହଜାର ପାର କରିଥିବା ବେଳେ ଏବେ ବି ଅନେକ ଲୋକ ଅଟ୍ଟାଳିକାର ଭଗ୍ନାବଶେଷ ତଳେ ରହିଛନ୍ତି । ଅନ୍ୟପଟେ ଜାତିସଂଘର ଆକଳନ ଅନୁସାରେ ଏହି ମୃତ୍ୟୁହାର ୫୦ହଜାର ଟପିପାରେ ବୋଲି ଆକଳନ କରାଯାଉଛି । ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଭାରତ 'ଅପରେସନ ଦୋସ୍ତ' ଜରିଆରେ ଏକ ଅଭିଯାନ ଆରମ୍ଭ କରି ଏହି ରାଷ୍ଟ୍ରକୁ ତାର ସପ୍ତମ ଉଦ୍ଧାରକାରୀ ଟିମ୍ ପଠାଇଛି ।