ମୁମ୍ବାଇ:ମହାରାଷ୍ଟ୍ରର ସାକିନାକାରେ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ମହିଳାଙ୍କ ସୁରକ୍ଷା ନେଇ ଆକ୍ସନ ମୋଡକୁ ଆସିଛି ମୁମ୍ବାଇ ପୋଲିସ । ଏଥିପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିବାକୁ ସ୍ଥିର କରିଛି ମୁମ୍ବାଇ ପୋଲିସ । ସହରର ୯୦ ଥାନାରେ ଗଠନ ହେବ ନିର୍ଭୟା ସ୍କାର୍ଡ । ଏନେଇ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ମହିଳାଙ୍କୁ ସୁରକ୍ଷା ଓ ମହିଳା ବିରୋଧୀ ଅପରାଧିକ ଘଟଣାକୁ ରୋକିବା ପାଇଁ ଏହି ପ୍ରଶିକ୍ଷିତ ସ୍ବତନ୍ତ୍ର ଟିମ କାମ କରିବ । ଏନେଇ ଗତକାଲି (ମଙ୍ଗଳବାର) ମୁମ୍ବାଇ ପୋଲିସ କମିଶନର ହେମନ୍ତ ନାଗରାଲ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ସମସ୍ତ ପୋଲିସ ଷ୍ଟେସନର ମୋବାଇଲ-ପାଟ୍ରୋଲିଂ ଗାଡିର ନାମ ‘ନିର୍ଭୟା ସ୍କ୍ବାର୍ଡ’ । ପ୍ରତ୍ୟେକ ଟିମରେ ସବ୍-ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ପୋଲିସ୍ ଇନ୍ସପେକ୍ଟର , ଜଣେ ଲେଖାଏଁ ମହିଳା ଓ ପୁରୁଷ କନଷ୍ଟେବଳ ଏବଂ ଡ୍ରାଇଭର ରହିବେ । ପ୍ରତ୍ୟେକ ଜୋନରେ ଜଣେ ମହିଳା ଆସିଷ୍ଟାଣ୍ଟ କମିଶନର କିମ୍ବା ପୋଲିସ୍ ଇନ୍ସପେକ୍ଟରଙ୍କ ତତ୍ତ୍ବାବଧାନରେ ଏହି ସ୍ବତନ୍ତ୍ର ଟିମ କାମ କରିବ ।